ସୁବର୍ଣ୍ଣପୁର: ବୋରଓ୍ବେଲରେ ଖସି ପଡି ବୃଦ୍ଧାଙ୍କ ମୃତ୍ୟୁ ଘଟଣା । ଏହାକୁ ନେଇ ସୁବର୍ଣ୍ଣପୁରରେ ଜିଲ୍ଲାରେ ତେଜିଲା ବିରୋଧ । ଜିଲ୍ଲା ଜନସଂଖ୍ୟା ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ଉଠାଜଳସେଚନ କନିଷ୍ଠ ଯନ୍ତ୍ରୀ, ଉପଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସୁବର୍ଣ୍ଣପୁରର ଆଇନଜୀବୀ ବଳଦେବ ବେଦବାଗଙ୍କ ନେତୃତ୍ବରେ ଜନସଂଖ୍ୟା ଫାଉଣ୍ଡେସନର କାର୍ଯ୍ୟକର୍ତ୍ତାମାନେ ଉଠା ଜଳସେଚନ ବିଭାଗର କାର୍ଯ୍ୟରେ ଅବହେଳା ପ୍ରତିବାଦରେ ଏହି ଏତଲା ଦାୟର କରିଛନ୍ତି ।
ଉଠାଜଳସେଚନ ବିଭାଗର ଅବହେଳା ଯୋଗୁଁ ଗଭୀର ବୋରୱେଲରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବରୁ ଉଠାଜଳସେଚନ ବିଭାଗ ପକ୍ଷରୁ ଚାଷଜମିକୁ ପାଣି ଯୋଗାଇ ଦେବାକୁ ସାତ ଇଞ୍ଚ ବ୍ୟାସ ବିଶିଷ୍ଠ ଏକ ଗଭୀର ବୋରୱେଲ ଖୋଳା ଯାଇଥିଲା । ସଦର ବ୍ଲକ ମୟୁର ଉଡାନ ପଂଚାୟତର କଇଁଫୁଲ ଗାଁ ନିକଟରେ ଗୋଷ୍ଠୀ ହିତାଧିକାରୀଙ୍କ ପାଇଁ ଏହି ବୋରୱେଲ ଖୋଳା ଯାଇଥିବା ଜଣାପଡିଛି । ତେବେ ଏହି ଗଭୀର ନଳକୂପରେ ଆବଶ୍ୟକ ପାଣି ନ ବାହାରିବାରୁ ବିଭାଗୀୟ କର୍ତ୍ତୃପକ୍ଷ କୂପର କେସିଙ୍ଗ ପାଇପଟି କାଢି ନେଇଯାଇଥିଲେ । ପାଣି ନ ବହାରିବାରୁ ମୂଲ୍ୟବାନ କେସିଙ୍ଗ ପାଇପ ନଷ୍ଟ ହେବ ବୋଲି ଖୋଲି ଆଣିଥିବା ବେଳେ ବୋରୱେଲକୁ ଆଉ ପୋତି ନଥିଲେ ।
ଏହାମଧ୍ୟ ପଢନ୍ତୁ: ବୋରୱେଲରେ ଖସିପଡିଲେ ବୃଦ୍ଧା; ହସ୍ପିଟାଲ ଯିବା ବାଟରେ ଚାଲିଗଲା ଜୀବନ
ଉଠା ଜଳସେଚନ ବିଭାଗର ବୈଷୟିକ କର୍ମଚାରୀମାନଙ୍କ ଜ୍ଞାତସାରରେ ଗଭୀର ବୋରୱେଲକୁ ଖୋଲା ଛାଡି ଦିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ନିଜ ଝିଅ ଘରକୁ କୁଣିଆ ଆସିଥିବା ଦୁଃଖୀ ନାଏକ ସେହି ବୋରୱେଲରେ ପଡି ଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା । ଦୁଃଖୀଙ୍କ ମୃତ୍ୟୁ ପାଇଁ ଜନସଂଖ୍ୟା ଫାଉଣ୍ଡେସନ ଅନୁଷ୍ଠାନ ଜଳସେଚନ ବିଭାଗର ଯନ୍ତ୍ରୀ ଓ ବିଭାଗୀୟ ବୈଷୟିକ କର୍ମଚାରୀଙ୍କ ସହିତ ସଂପୃକ୍ତ ଠିକାଦାରଙ୍କୁ ଦୋଷାରୋପ କରିଛନ୍ତି ।
ସମ୍ପୃକ୍ତ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ବିରୋଧରେ ଧାରା 304 ଓ 302ରେ ହତ୍ୟା ମକଦ୍ଦମା ରୁଜୁ କରିବା ପାଇଁ ଥାନାରେ ଲିଖିତ ଏତଲା ଦାୟର କରିବା ସହ ସେମାନଙ୍କ ଗିରଫ ଦାବି କରିଛନ୍ତି । ସେହିପରି ଉଠା ଜଳସେଚନ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଜାଗାରେ ସାତ ଇଞ୍ଚ ବ୍ୟାସ ବିଶିଷ୍ଠ ଗଭୀର ବୋରୱେଲ ଜମିକୁ ପାଣି ମଡାଇବା ପାଇଁ ଖୋଳାଯାଇଛି । କଇଁଫୁଲର ଏହି ପରିତ୍ୟକ୍ତ ବୋରୱେଲ ପରି ଅନ୍ୟ ସ୍ଥାନଗୁଡିକରେ ବି ଏହାକୁ ଖୋଲା ଛାଡି ଦିଆଯାଇଥିବା ଅଭିଯୋଗ ହୋଇଛି । ଉଠା ଜଳସେଚନ ବିଭାଗ ପକ୍ଷରୁ କୌଣସି ଗୋଟିଏ ବି ଗଭୀର ବୋରୱେଲ ଖୋଲା ଛଡାଯାଇ ନଥିବା ନିଶ୍ଚିତ କରନ୍ତୁ ବୋଲି ଜିଲ୍ଲା ଜନସଂଖ୍ୟା ଫାଉଣ୍ଡେସନ ପକ୍ଷରୁ ଦାବି ହୋଇଛି । ଦାବି ପୂରଣ ନ ହେଲେ ଆଗକୁ ପୁଣି ଆନ୍ଦୋଳନ କରିବା ନେଇ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର