ସୁବର୍ଣ୍ଣପୁର: ଜିଲ୍ଲା ବିଜେଡି ଗୁଣ୍ଡାଗିରି କରୁଥିବା ଅଭିଯୋଗ କରି ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ଦାବି ଉପସ୍ଥାପନ କରାଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟରେ ବିଜେଡିର ମନ୍ତ୍ରୀମାନେ ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି । ତେବେ ଅପରାଧିକ କାର୍ଯ୍ୟ କରୁଥିବା ମନ୍ତ୍ରୀମାନଙ୍କୁ ବିଜେପି ପକ୍ଷରୁ ବିରୋଧ କରାଯିବା ସମୟରେ ବିଜେଡି ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରୁଛନ୍ତି ।
ଗତ 25 ତାରିଖରେ ବିଜେଡି ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମର୍ଥକମାନେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଉପସ୍ଥିତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକ୍ରମ ଦିନ ମନ୍ତ୍ରୀ ସୁଶାନ୍ତ ସିଂକୁ ବିଜେପି କାର୍ଯ୍ୟକର୍ତ୍ତା ମାନେ କଳା ପତାକା ପ୍ରଦର୍ଶନ କରିଥିଲେ । ହେଲେ ସୁଶାନ୍ତ ସିଂଙ୍କ ବାଉନସର ଓ ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ବିଜେପି ପକ୍ଷରୁ ସଦର ଥାନାରେ ଏକ ଏତଲା ଦିଆଯାଇଛି । ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଏସପିଙ୍କ ପାଖରେ ଦାବି କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ