ସୁବର୍ଣ୍ଣପୁର: ସହରର ସ୍ମାର୍ଟ ପାର୍କ ତିଆରିରେ ଇଷ୍ଟଦେବ ସୁବର୍ଣ୍ଣମେରୁ ବାବାଙ୍କ ଜମିକୁ ଜିଲ୍ଲା ପ୍ରଶାସନ ଜୋର ଜବରଦସ୍ତ ଅଧିଗ୍ରହଣ ଘଟଣା । ହାଇକୋର୍ଟ ପ୍ରତିମାସ ସୁବର୍ଣ୍ଣମେରୁ ବାବାଙ୍କ ଦୈନନ୍ଦିନ ନୀତିକାନ୍ତି ଆଦି ପାଇଁ ୫୦ ହଜାର ଟଙ୍କା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ପ୍ରଶାସନ କୌଣସି ଅର୍ଥ ନ ଦେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗ ହୋଇଛି ।
ଇଷ୍ଟଦେବ ସୁବର୍ଣ୍ଣମେରୁ ବାବାଙ୍କ ଜମିକୁ ଜୋର ଜବରଦସ୍ତ ଅଧିଗ୍ରହଣ କରାଯାଇଥିବା ବିଜେପି ଅଭିଯୋଗ କରିଛି । ଇଷ୍ଟ ଦେବ ସୁବର୍ଣ୍ଣମେରୁଙ୍କ ପ୍ରାୟ ସାଢେ 5 ଏକର ପରିମିତ ଯାଗାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାର୍କ ତିଆରି କରାଯାଇଛି । ହେଲେ ଜିଲ୍ଲା ପ୍ରଶାସନ ବେଆଇନ ଭାବେ ଜମିର ମୂଲ୍ୟ ପ୍ରଦାନ ନକରି ଜମି ଅଧିଗ୍ରହଣ କରିଥିବାରୁ ରାଜା ରାଜୁଡା ଅମଳରୁ ସୁବର୍ଣ୍ଣମେରୁ ବାବାଙ୍କ ଏହି ଜମିରୁ ସୁବର୍ଣ୍ଣମେରୁ ବେଦଖଲ ହୋଇଛନ୍ତି । ଏହି ବେଆଇନ ଅଧିଗ୍ରହଣକୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଆପତ୍ତି ଅଭିଯୋଗ ହୋଇଆସୁଛି ।
ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ ନ କରିବା ପରେ ସୁବର୍ଣ୍ଣମେରୁ ମନ୍ଦିର କମିଟି ଓ ସେବାୟତ ଏହି ବେଆଇନ ଜମି ଅଧିଗ୍ରହଣକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ରାଜ୍ୟ ଉଚ୍ଚ ନ୍ୟାୟାଳୟ ପ୍ରତିମାସ ସୁବର୍ଣ୍ଣମେରୁ ବାବାଙ୍କ ଦୈନନ୍ଦିନ ନୀତିକାନ୍ତି, ମନ୍ଦିରର ବିକାଶ ଓ ପରିଚାଳନା ପାଇଁ ମାସିକ 50 ହଜାର ଟଙ୍କା ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ଦେବୋତ୍ତର ବିଭାଗକୁ କୌଣସି ଅର୍ଥ ଦେଉ ନ ଥିବାରୁ ସହରବାସୀ ଓ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବଢି ବଢି ଚାଲିଛି ।
ପାର୍କରୁ ୟୁଜର୍ସ ଫି ଓ ଦେଖଣାହାରୀଙ୍କ ପାଖରୁ ଟିକସ ଆଦାୟ କରାଯାଉଥିବା ବେଳେ ମନ୍ଦିର ପରିଚାଳନା ଓ ଉନ୍ନତିକରଣ ପାଇଁ କୌଣସି ଅର୍ଥ ଦେଉ ନାହାନ୍ତି । ତେବେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ପୁଣି ବିଜେପି ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବ ବୋଲି ବିଜେପି ସଭାପତି ପ୍ରମୋଦ ମହାପାତ୍ର କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ