ସୁବର୍ଣ୍ଣପୁର: ଜିଲ୍ଲା ଖଲିଆପାଲିଠାରେ ଥିବା ସନ୍ଥକବିଙ୍କ ଶୂନ୍ୟ ମନ୍ଦିରରେ ଅନେକ ପାଣ୍ଡୁଲିପି ପ୍ରକାଶିତ ହୋଇପାରୁନି । ପାଣ୍ଡୁଲିପିର ସଂଗ୍ରହ, ପ୍ରକାଶନ ତଥା ବିଭିନ୍ନ ଭାଷାରେ ସନ୍ଥଙ୍କ କାବ୍ୟ କବିତାର ଅନୁବାଦ ପାଇଁ ଦାବି ହେଉଥିଲେ ମଧ୍ୟ କେହି ଏ ଦିଗରେ ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି ।
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ । ସନ୍ଥ କବି ଭୀମ ଭୋଇଙ୍କ ଏହି କାଳଜୟୀ ପଂକ୍ତି ଆଜି ବି ଆକର୍ଷିତ କରୁଛି ଦେଶ ବିଦେଶର ଅନେକ ଗବେଷକ ଓ ସାହିତ୍ୟ ରସିକମାନଙ୍କୁ । ସନ୍ଥ ଭୀମଭୋଇଙ୍କ ସମାଧି ପୀଠ ଏବେ ଏକ ପୂଣ୍ୟ ଭୂମୀରେ ପରିବର୍ତ୍ତନ ହୋଇଛି । ବିଶେଷକରି ସନ୍ଥ କବିଙ୍କ ପୂଣ୍ୟ ଜନ୍ମତିଥି ଓ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ସାରସ୍ବତ ସାହିତ୍ୟ ସମାରୋହର ଆୟୋଜନ କରାଯାଏ । ସାହିତ୍ୟ ପ୍ରେମୀଙ୍କୁ ସନ୍ଥଙ୍କର ରଚିତ ଭଜନ ଜଣାଣ, କାବ୍ୟ ସବୁ ସମୟରେ ଆକର୍ଷିତ କରୁଥିବା ବେଳେ ମହିମାଧର୍ମୀ ସାଧୁ ସନ୍ୟାସିନୀଙ୍କ ମୁହଁରୁ ଅନେକ କାବ୍ୟ କବିତାର ପଂକ୍ତି ଶୁଣିବାକୁ ମିଳିଥାଏ ।
ସନ୍ଥ ଭୀମ ଭୋଇଙ୍କ କାବ୍ୟ କବିତାର ଲୋକପ୍ରିୟତା ରହିଥିଲେ ମଧ୍ୟ ତାଙ୍କର ଅନେକ କାବ୍ୟ ଅପ୍ରକାଶିତ ହୋଇ ରହିଛି । ଲୋକମୁଖରେ କବିଙ୍କ କାଳଜୟୀ ପଂକ୍ତି ସବୁ ଅମୃତର ଧାରା ପରି ବୋହି ଆସୁଥିବା ବେଳେ ସାହିତ୍ୟ ରସିକମାନେ ଅପ୍ରକାଶିତ କାବ୍ୟ କବିତାକୁ ନେଇ ବେଶ ଦୁଃଖ ପ୍ରକାଶ କରିଛନ୍ତି । କବିଙ୍କ କାବ୍ୟ କବିତା ସବୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ପ୍ରକାଶିତ ହେଲେ କବିଙ୍କ ପ୍ରତି ଏହା ଅନନ୍ୟ ସୃତି ଅର୍ଘ୍ୟ ହେବ ବୋଲି ସାହିତ୍ୟିକମାନେ କହିଛନ୍ତି ।
ସନ୍ଥକବିଙ୍କ ସମାଧିପୀଠରେ ତାଙ୍କ ଜୀବିତାବସ୍ଥାରୁ ବର୍ଷର ବିଭିନ୍ନ ସମୟରେ ଆୟୋଜିତ ହୋଇ ଆସୁଛି ସାରସ୍ବତ ସାହିତ୍ୟ ସମାରୋହ । କବିଙ୍କ ସାହିତ୍ୟ ଓ ଦର୍ଶନର ଆଲୋଚନା କରାଯାଉଛି । କବିଙ୍କ ରଚିତ ସ୍ତୁତି ଚିନ୍ତାମଣୀ, ନିର୍ବେଦ ସାଧନା, ବ୍ରହ୍ମ ନିରୂପଣ ଗୀତା ଆଦି ଅନେକ କାବ୍ୟ କବିତା ପ୍ରକାଶିତ ହୋଇଛି । ହେଲେ ସଂକ୍ଷିପ୍ତ ରାମାୟଣ ଓ ମହିମା ବିନୋଦ ପରି 5ଟି ଗ୍ରନ୍ଥ ଏପର୍ଯ୍ୟନ୍ତ ଅପ୍ରକାଶିତ ହୋଇ ପଡି ରହିଛି ।
ଏପରିକି ସମାଧୀପୀଠ ଟ୍ରଷ୍ଟ ପକ୍ଷରୁ ସଂଗୃହିତ ଅନେକ ପାଣ୍ଡୁଲିପିର ଅଧ୍ୟୟନ, ପ୍ରକାଶନ ଓ ଅନୁବାଦର ଆବଶ୍ୟକତା ଥିବା ବେଳେ ତାହା ହୋଇପାରିନାହିଁ । ସାହିତ୍ୟ ରସିକ ଓ ଭୀମଭୋଇ ପ୍ରେମୀମାନେ ଅନେକବାର ସନ୍ଥ ସାହିତ୍ୟର ପ୍ରକାଶନ ପାଇଁ ଅନୁରୋଧ କରିଛନ୍ତି । ହେଲେ ସାହିତ୍ୟର ପୁନଃରୁଦ୍ଧାର ପ୍ରତି କୌଣସି ପ୍ରଶାସନିକ ଅଧିକାରୀ ବା ରାଜନୈତିକ ନେତା ଗୁରୁତ୍ବ ଦେଇନାହାନ୍ତି । ଅପରପକ୍ଷରେ ସମାଧୀପୀଠ ଟ୍ରଷ୍ଟର ବରିଷ୍ଠ ସଭ୍ୟ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ