ସୁବର୍ଣ୍ଣପୁର: ପିତ୍ତଳ ଦେଇ ବ୍ୟାଙ୍କରୁ ଠକିନେଲେ ସୁନା ଋଣ । ସୁନା ବଦଳରେ ପିତ୍ତଳ ଦେଇ ବ୍ୟାଙ୍କରୁ ଠକି ନେଇଥିଲେ ଟଙ୍କା । ଗିରଫ ହେଲେ ୭ ଜଣ ଠକ । ସୁବର୍ଣ୍ଣପୁରରେ ସୁନା ବଦଳରେ ବ୍ୟାଙ୍କରେ ପିତ୍ତଳ ଦେଇ ସୁନା ଋଣ କରି ପ୍ରାୟ ୫୨ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ୭ ଜଣ ଠକ ଗିରଫ । ଏହି ଠକଙ୍କୁ ଗିରଫ କରିବାରେ ସୁବର୍ଣ୍ଣପୁର ପୋଲିସ ସକ୍ଷମ ହୋଇଛି । ଗତ ୨୦୧୯-୨୦ ଓ ୨୦୨୦-୨୧ ବର୍ଷ ଭିତରେ ଠକ ଗ୍ରାହକମାନେ ବ୍ୟାଙ୍କ ସୁନାରୀଙ୍କୁ ହାତେଇ ଟଙ୍କା ଠକି ନେଇଥିବା ଜଣାପଡ଼ିଛି ।
ସହରର ବ୍ୟାଙ୍କ ଅଫ ବରୋଦା କର୍ତ୍ତୃପକ୍ଷ ଅଡିଟ ସମୟରେ ଗ୍ରାହକମାନେ ପିତ୍ତଳ ଦେଇ ସୁନା ବୋଲି ଋଣ ନେଇଥିବା ଜାଣିବାକୁ ପାଇଥିଲେ । ତେବେ ୬୫ ଗୋଟି ମାମଲାରେ ନକଲି ଗହଣା ଦେଇ ବ୍ୟାଙ୍କରୁ ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା । ଜିଲ୍ଲା ପୋଲିସର ଏକ ସ୍ବତନ୍ତ୍ର ଦଳ ଏହି ଠକେଇ ଘଟଣାର ଅନୁସନ୍ଧାନ କରି ଏହି ଠକେଇରେ ସାମିଲ ହୋଇଥିବା ସୁନାରୀ ସହିତ ୭ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।
ଗିରଫ କରାଯାଇଥିବା ଠକମାନେ ଈଶ୍ବର ସରାଫ, ସୁରେନ୍ଦ୍ର ସରାଫ, ଅଞ୍ଜନ ସା, ହଜାରୁ ସାହୁ, ଡାକ୍ତର ସେଠ, ରାମଚନ୍ଦ୍ର ବଣିଆ ଓ ଜୟ ନାରାୟଣ ମହାରଣା । ତେବେ ଆଜି ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସୁବର୍ଣ୍ଣପୁର