ସୁବର୍ଣ୍ଣପୁର: କୋରୋନା ସଂକ୍ରମଣରେ ଲାଗୁନି ବ୍ରେକ । ରାଜ୍ୟରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ବଢୁଛି ସଂକ୍ରମଣର ମାତ୍ରା । ଏବେ ଜୀବନ ଯାତ୍ରା ସ୍ବାଭାବିକ ହେଉଥିବାବେଳେ ଏକ ପ୍ରକାର ଆଇସୋଲେସନରେ ରହୁଥିବା ଜେଲ ଅନ୍ତେବାସୀମାନେ ବି କୋରୋନା ସଂକ୍ରମିତ ହେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଉପ କାରାଗାରରେ132 ଜଣ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ 58 ଜଣ କଏଦୀ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସଂକ୍ରମଣର ଶିକାର ହୋଇଥିବା 58 ଜଣ କଏଦୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ବତନ୍ତ୍ର ଟିମ୍ ଜେଲ ଭିତରେ ଚିକିତ୍ସା କରୁଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଦିଲ୍ଲୀପ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଉପ କାରାଗାରର କଏଦୀମାନଙ୍କୁ ଚିକିତ୍ସା କରାଯାଉଛି ଏବଂ ସେମାନଙ୍କୁ ଜେଲ ଭିତରେ ଆଇସୋଲେସନରେ ରଖା ଯାଇଛି । ତେବେ ଏ ଯାଏଁ ବି ସଂକ୍ରମିତ କଏଦୀଙ୍କ ନିଶ୍ବାସ ପ୍ରଶ୍ବାସରେ କୌଣସି ସମସ୍ୟା ଦେଖାଯାଇ ନାହିଁ । ତେବେ ଧୀରେ ଧୀରେ ସଂକ୍ରମିତଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ