ସୁବର୍ଣ୍ଣପୁର: ଜିଲ୍ଲାରେ ପୁଣି ଜଣେ ଗଞ୍ଜେଇ ବେପାରୀକୁ ଧରିବାରେ ସଫଳ ହୋଇଛି ସଦର ଥାନା ପୋଲିସ। ସହରର ପଟାଭାଡ଼ି ଜନମୁରା ରାସ୍ତାରେ ଏକ ମାରୁତି ଭ୍ୟାନରେ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ଚଢ଼ାଉ କରିଥିଲା। ଚାଲାଣ ହେଉଥିବା ଗାଡ଼ି ଭିତରୁ 33 କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯିବା ସହ ଡ୍ରାଇଭରକୁ ଗିରଫ କରିଛି ପୋଲିସ।
ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ସୁବର୍ଣ୍ଣପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ପୋଲିସ ପଟାଭାଡ଼ି ଜନମୁରା ରାସ୍ତାରେ ଥିବା ମହାଦେବ ମନ୍ଦିର ନିକଟରେ ଚଢ଼ାଉ କରିଥିଲା । ଏହାପରେ ଯାଞ୍ଚ କରିବାରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଜଣାପଡିଥିଲା।
ଗଞ୍ଜେଇ ଚାଲାଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ସୁବଳୟା ଥାନା ଅନ୍ତର୍ଗତ ବହଳପଦର ଗାଁର ଅଶୋକ ରାଜହଂସ। ଘଟଣାରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଯୁବକଙ୍କୁ କୋର୍ଟ ଚାଲାଣ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଦିନକୁ ଦିନ ବୌଦ୍ଧର ବିଭିନ୍ନ ଅଞ୍ଚଳରୁ ସୁବର୍ଣ୍ଣପୁର ଦେଇ ବ୍ୟାପକ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାରୁ ପୋଲିସ ବେଶ ତତ୍ପର ହୋଇ ଉଠିଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ