ସୁବର୍ଣ୍ଣପୁର: ସୋନପୁର ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ଅଳଙ୍କାର ଚୋରି ଘଟଣାରେ ଜିଲ୍ଲା ପୋଲିସର ତିନିଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା କରିଥିବାରୁ ସଦର ଟାଉନ ଥାନାର କନେଷ୍ଟବଲ ଶଙ୍କରଭାନୁ ବେହେରା, ହୋମଗାର୍ଡ ଅନ୍ତର୍ଯ୍ୟାମୀ ସେଠୀ ଓ ନୃପରାଜ ସୁନାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରାଯାଇଛି ।
ଗତକାଲି(ମଙ୍ଗଳବାର) ଗଡଜାତର ଇଷ୍ଟ ଦେବୀ ମା ସୁରେଶ୍ବରୀ( Sureshwari temple ornaments loot case)ଙ୍କ ମନ୍ଦିରର ମୁଖ୍ୟ ଫାଟକ ଓ ଗମ୍ଭୀରା ଫାଟକର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦେବୀଙ୍କ ଅଳଙ୍କାର ଚୋରି କରି ନେଇଥିଲେ । ଦେବୀ ମା’ଙ୍କ 20 ଭରିର ରୂପା ମୁକୁଟ ସହିତ ରୂପାର ଦୁଇଟି ବଡ ଛତ୍ର ଚୋରି କରି ନେଇଛନ୍ତି । ଘଟଣାସ୍ଥଳକୁ ପୋଲିସ ଓ ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସେବାୟତମାନଙ୍କୁ ପଚାରି ବୁଝିଛି ।
ଏହା ମଧ୍ୟ ପଢନ୍ତୁ: ମା' ସୁରେଶ୍ୱରୀଙ୍କ ମନ୍ଦିରରୁ ଅଳଙ୍କାର ଚୋରି, ପୋଲିସର ଛାନଭିନ
ଦେବୀ ମା’ ସୁରେଶ୍ବରୀ ଗଡଜାତର ଇଷ୍ଟ ଦେବୀ ହୋଇଥିବାରୁ ଏହି ଘଟଣା ଗଡଜାତବାସୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି । ଘଟଣାର ସମ୍ବେଦନଶୀଳତାକୁ ହୃଦୟଙ୍ଗମ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ(District Superintendent of Police Sitaram Shatapathy)ଙ୍କ ନିର୍ଦ୍ଦେଶରେ କାର୍ଯ୍ୟରେ ଅବହେଳା ଯୋଗୁଁ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏକ ସ୍ବତନ୍ତ୍ର ପୋଲିସ ଦଳ ଘଟଣାର ତଦନ୍ତ କରୁଛି ।
ତେବେ ଖୁବ ଶୀଘ୍ର ଚୋରି ଅଳଙ୍କାର ଉଦ୍ଧାର କରାଯିବ ବୋଲି ପୋଲିସ ଆଶା ରଖିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ