ସୁବର୍ଣ୍ଣପୁର: ତାଲା ପଡିବ 136ଟି ବିଦ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲାରେ 136ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିବ। ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି କମି ଯାଉଥିବାରୁ ଅଳ୍ପ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।
20ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରି ପଡ଼ୋଶୀ ବିଦ୍ୟାଳୟ ଗୁଡିକରେ ମିଶ୍ରଣ କରାଯିବ ଓ ବନ୍ଦ ହେବାକୁ ଥିବା ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ପଡ଼ୋଶୀ ବିଦ୍ୟାଳୟରେ ଅଧ୍ୟୟନ କରିବେ ବୋଲି ସରକାରୀ ନିଷ୍ପତ୍ତି ହୋଇଛି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଆନୁପତିକ ରିପୋର୍ଟ ତିଆରି କରିବା ସହିତ ତୁରନ୍ତ ବିଦ୍ୟାଳୟ ଗୁଡ଼ିକର ତାଲିକା ପ୍ରକାଶ କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବିଦ୍ୟାଳୟ ବନ୍ଦ ପାଇଁ କୌଣସି ଗାଁର ଆପତ୍ତି ଅଭିଯୋଗ ଥିଲେ ଅକ୍ଟୋବର ଶେଷ ସୁଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିବା ପାଇଁ କୁହାଯାଇଛି। ହେଲେ କୌଣସି ଦୁର୍ଗମ ଅଞ୍ଚଳରେ ଅବା ନଦୀ ,ନାଳ ଥିବା ଗାଁ ଗୁଡିକର ବିଦ୍ୟାଳୟ ଗୁଡ଼ିକରେ କମ ଛାତ୍ରଛାତ୍ରୀ ଥିଲେ ବି ସେଗୁଡିକୁ ବନ୍ଦ ନ କରିବା ପାଇଁ ସରକାରୀ ନିଷ୍ପତ୍ତି ହୋଇଛି।
ବିଦ୍ୟାଳୟ ଗୁଡିକୁ ବନ୍ଦ କରି ସରକାର ଘରୋଇ ବିଦ୍ୟାଳୟ ଗୁଡିକୁ ପ୍ରୋତ୍ସାହନ ଦେଉଥିବା ଅଭିଭାବକ ମହଲରେ ଆଲୋଚନା ହେଉଛି।
ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ