ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର, ଐତିହାସିକ ସମ୍ବଲପୁର ସହର । ସମୟ ସହ ତାଳ ଦେଇ ବଦଳଛି ସହର ରୂପରେଖ । ସହରୀକରଣ ପ୍ରକ୍ରିୟାରେ ବଦଳିଛି ବସ୍ତିର ଚିତ୍ର, ବଢିଛି କଲୋନୀ ଓ ଜନସଂଖ୍ୟା । ମାତ୍ର ଏହି ପରିବର୍ତ୍ତନର ଚିତ୍ର ସହ ବଦଳିନାହିଁ ସହରର ଡ୍ରେନେଜ ବ୍ୟବସ୍ଥା । ଯାହା ଏବେ ସହର ପାଇଁ ମୁଖ୍ୟ ସମସ୍ୟା ସାଜିଛି ।
303 ବର୍ଗ କିଲୋମିଟରରେ ପରିବ୍ୟାପ୍ତ ସମ୍ବଲପୁର ମହାନଗରରେ ରହିଛି 41ଟି ୱାର୍ଡ ଓ 171 ଟି ବସ୍ତି । ଆଉ 464.22 କିମି ଦୀର୍ଘ ରହିଛି ଡ୍ରେନେଜ ବ୍ୟବସ୍ଥା । ତେବେ ସମୟ କ୍ରମେ ଏହାର ରକ୍ଷଣାବେକ୍ଷଣର ଅଭାବ, ଜବର ଦଖଲ ସମସ୍ୟା, ଅବ୍ୟବସ୍ଥିତ ବିକାଶ ଯୋଗୁଁ ବିପର୍ଯ୍ୟସ୍ତ ଏହି ବ୍ୟବସ୍ଥା । ମହାନଦୀ ଗର୍ଭର ଭୌଗୋଳିକ ଅବସ୍ଥା ବଦଳିବା ସହ ସହରରେ ଥିବା 3 ପ୍ରମୁଖ ନାଳର ଅବସ୍ଥା ଏବେ ସଙ୍ଗୀନ । ବର୍ଷା ଦିନେ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ସହରରେ ସୃଷ୍ଟି ହୁଏ କୁତ୍ରିମ ବନ୍ୟା । ତେବେ ପ୍ରଶାସନ ଏହା ଚିରସ୍ଥାୟୀ ସମାଧାନ ନକରି କ୍ଷଣ ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁଥିବା ଅଭିଯୋଗ କରିଛନ୍ତି ସହରବାସୀ ।
ସହରର ଏହି ମୁଖ୍ୟ ସମସ୍ୟାକୁ ସୁଧାରିବା ପାଇଁ ପୂର୍ବରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା । 1995 ମସିହା ଜୁନ ମାସରେ ହୀରାକୁଦ ଡ୍ୟାମର ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀଙ୍କ ଦ୍ଵାରା ସମ୍ବଲପୁର ସହରର ଡ୍ରେନେଜ ବ୍ୟବସ୍ଥା ପାଇଁ 2564 ଲକ୍ଷ ବ୍ୟୟ ଅଟକଳର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା । ଏହା ପରେ 2012ରୁ 2016 ପାଇଁ Odisha Urban Sanitation strategy କାର୍ଯ୍ୟକ୍ରମ ଅଧୀନରେ OPHS ସଂସ୍ଥା ତରଫରୁ 90 କୋଟି ଟଙ୍କାର ସିଟି ସେନିଟେସନ ପ୍ଲାନ ପ୍ରସ୍ତୁତ ହୋଇଥିଲା । ଏହି ପ୍ଲାନରେ ସହର ମଧ୍ୟର 2 ପ୍ରମୁଖ ନାଳରେ ଜବରଦଖଲ ଓ ସହରୀ ବର୍ଜ୍ୟବସ୍ତୁ ଜମା ହେବାରୁ ସହର ମଧ୍ୟରେ ପାଣି ଜମୁଥିବା ଉଲ୍ଲେଖ ଥିଲା ।ଏଥିପାଇଁ ସହରରେ ଇଣ୍ଟର କନେକଟେଡ କଭର ଡ୍ରେନର ବ୍ୟବସ୍ଥା କରିବାକୁ ଏଥିରେ ପ୍ରସ୍ତାବ ରହିଥିଲା । ସେହିପରି 2014 ମସିହାରେ ସହରରେ ଜଣ୍ଡିସ ବ୍ୟାପିବା ପରେ ମୁଖ୍ୟମନ୍ତ୍ରୀ ସହରର 3ଟି ପ୍ରମୁଖ ନାଳର ପୁନରୁଦ୍ଧାର ପାଇଁ 60 କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ । ମାତ୍ର ଏହି ସମସ୍ତ ଯୋଜନା ଆଜି ପଙ୍ଗୁ ପରି ମନେ ହୁଏ ।
ତେବେ ଡ୍ରେନେଜ ବ୍ୟବସ୍ଥାର ସୁଧାର ପାଇଁ ଅନେକ ଯୋଜନା ପସ୍ତୁତ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ଏହାର ସଫଳ ରୂପାୟନ ହୋଇପାରି ନାହିଁ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ