ସମ୍ବଲପୁର: ଗ୍ରାମ୍ୟ ଜଙ୍ଗଲ ଜମିକୁ ଜିଲ୍ଲା ପ୍ରଶାସନ କମ୍ପାନୀ ହାତରେ ଟେକି ଦେଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କିଲାସମା ପଞ୍ଚାୟତର ପିତାପଲି ଗ୍ରାମର ଗ୍ରାମବାସୀ ଏଭଳି ଅଭିଯୋଗ କରିଛନ୍ତି l ଗ୍ରାମବାସୀ ଅଭିଯୋଗ କରିଛନ୍ତି, "ଗାଁର ନିକଟରେ ଥିବା ଜଙ୍ଗଲର ଅଢେଇ ଏକର ଜମିକୁ ଜିଲ୍ଲା ପ୍ରଶାସନ ବେଦାନ୍ତ କମ୍ପାନୀ ହାତକୁ ଟେକି ଦେଉଛନ୍ତି l ଏହାଦ୍ୱାରା ଏହି ଗାଁର ଜଙ୍ଗଲ ନଷ୍ଟ ହେବା ସହ ବାତାବରଣ ଦୂଷିତ ହେବ l ତେଣୁ ଏହି ପଦକ୍ଷେପରୁ ଜିଲ୍ଲା ପ୍ରଶାସନ ବିରତ ରହୁ । ନଚେତ ଆଗାମୀ ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ।''
ଅଭିଯୋଗ ଅନୁସାରେ, ମାସକ ତଳର ବ୍ୟାକ ଡେଟ ଥିବା ନୋଟିସକୁ ଗାଁରେ ଚଞ୍ଚକତା କରି ଲଗାଇଛି ଜିଲ୍ଲା ପ୍ରଶାସନ । ଏହାଦ୍ବାରା ଗାଁର ଅଢେଇ ଏକର ଜମିକୁ ପ୍ରଶାସନ ବେଦାନ୍ତ କମ୍ପାନୀ ହାତକୁ ଟେକି ଦେବାକୁ ବସିଛି । ଏମିତି ଅଭିଯୋଗ ଆଣିଛନ୍ତି ପିତାପାଲି ଗ୍ରାମବାସୀ l ଏହି ଗାଁରେ ମୁଖ୍ୟତଃ ହୀରାକୁଦ ଡ୍ୟାମର ବିସ୍ଥାପିତମାନେ ରହି ଆସୁଥିବା ବେଳେ ବର୍ତ୍ତମାନ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ଗ୍ରାମବାସୀ ମାନେ ପୁଣି ପ୍ରଦୂଷଣ ନେଇ ଚିନ୍ତାରେ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Encounter In Bhubaneswar: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି ଜିତୁ ଆହତ
ସୂଚନା ଅନୁସାରେ, ଏହି ଗାଁର ଜଙ୍ଗଲ ନିକଟରେ ଥିବା ଅଢେଇ ଏକର ଜମିକୁ ବେଦାନ୍ତ କମ୍ପାନୀର ଇଣ୍ଟେକ ୱେଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ହସ୍ତାନ୍ତର କରିଥିଲା l ଏନେଇ ସମ୍ବଲପୁର ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ଫେବୃଆରୀ ୪ ତାରିଖରେ ବିଧିବଦ୍ଧ ଭାବେ ନୋଟିସ ବାହାରି ଥିଲା । କିନ୍ତୁ ଏହି ନୋଟିସକୁ ସେହିଦିନ ଗ୍ରାମରେ ନଲଗାଇ ୪୫ ଦିନ ପରେ ଲଗାଇଥିଲେ । ଫଳରେ ଗ୍ରାମବାସୀ ଏହାକୁ ନେଇ କୌଣସି ପ୍ରତିବାଦ କରିପାରି ନଥିଲେ ବୋଲି ଅଭିଯୋଗ କରିଛନ୍ତି l ତେବେ ଏନେଇ ସୂଚନା ମିଳିବା ପରେ ଗାଁ ଲୋକେ ତତକ୍ଷଣାତ ତହସିଲଦାରଙ୍କ କାର୍ଯ୍ୟାଳୟକୁ ଯାଇ ଭେଟିଥିଲେ । ସେମାନଙ୍କ କୌଣସି ଅଭିଯୋଗକୁ ତାହସିଲଦାର ଶୁଣିନଥିଲେ ଓଲଟା ଧମକ ଚମକ ଦେଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗ୍ରାମବାସୀଙ୍କ ପ୍ରତିବାଦ ଭୟରେ ପ୍ରଶାସନ ଜାଣି ଶୁଣି ୪୫ଦିନ ପରେ ନୋଟିସ ଗାଁରେ ଲଗାଯାଇଥିବା ନେଇ ଅଭିଯୋଗ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।
ଏହାମଧ୍ୟ ପଢନ୍ତୁ: ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଅମୃତ ତୁଲ୍ୟ ମାଣ୍ଡିଆ ଓ ସୁଆଁ ପ୍ରସ୍ତୁତ ଖାଦ୍ୟ
ଇଟିଭି ଭାରତ, ସମ୍ବଲପୁର