ସମ୍ବଲପୁର: ଭାରତର ସ୍ବାଧୀନତା ସଂଗ୍ରାମରେ ଅନେକ ଯୋଦ୍ଧା ନିଜ ଜୀବନର ବଳିଦାନ ଦେଇଛନ୍ତି । ଆଉ ସେମାନଙ୍କ ବଳିଦାନର ଗାଥା ଇତିହାସରେ ଲିପିବଦ୍ଧ ହୋଇ ରହିଛି । ଏହିସବୁ ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଆମେ ସେମାନଙ୍କ ବିରତ୍ବର ଗାଥା ବିଷୟରେ ଜାଣିଥାଉ । ତେବେ ଏବେବି ଏମିତି ଅନେକ ଯୋଦ୍ଧା ଅଛନ୍ତି ଯେଉଁମାନେ ଭାରତର ସ୍ବାଧୀନତା ପାଇଁ ଇଂରେଜ ମାନଙ୍କ ସହ ଲଢ଼ି ଜୀବନ ଦେଇଥିଲେ ହେଲେ, ଇତିହାସର ପୃଷ୍ଠାରେ ସେମାନଙ୍କୁ ସ୍ଥାନ ମିଳିନାହିଁ । ଏମିତି କିଛି ଯୋଦ୍ଧାଙ୍କ ଗାଁ ହେଉଛି ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଛକ ନିକଟରେ ଥିବା ଗାଁ କୁଦୋପାଲି ।
ସମ୍ବଲପୁର ସହରରୁ ମାତ୍ର ୮ କି.ମି ଦୂରତାରେ ରହିଛି କୁଦୋପାଲି ଗାଁ । ଗାଁ ନିକଟରେ ରହିଛି ଏକ ପାହାଡ଼ । ଗାଁ’ର ଭୌଗୋଳିକ ଅବସ୍ଥିତ ଏମିତି ରହିଛି, ଯାହା ଗୋରିଲା ଯୁଦ୍ଧ ପାଇଁ ଉପଯୁକ୍ତ । ଏହାକୁ ଦୃଷ୍ଟିର ରଖି ସମ୍ବଲପୁରର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏହି ଗାଁ ପାହାଡରେ ତିଆରି କରିଥିଲେ ଏକ ଯୁଦ୍ଧଘାଟି । ପାହାଡ଼ଟି ସମ୍ବଲପୁରରୁ ପୁରୁଣା ରାଞ୍ଚୀ ରୋଡ଼ରେ ପଡୁଥିବାରୁ ଏହି ଯୁଦ୍ଧ ଘାଟିରେ ସୁରେନ୍ଦ୍ର ସାଏ ତାଙ୍କର ୫ମ ଭାଇ ଛବିଲ ସାଏ ଓ ତାଙ୍କ ସମର୍ଥକଙ୍କୁ ଦାୟିତ୍ୱ ଦେଇଥିଲେ । ପାହାଡ଼ ଉପରେ ରହି ଇଂରେଜ ମାନଙ୍କ ଗତିବିଧି ଉପରେ ନଜର ରଖିବା ସହ ଇଂରେଜ ସୈନ୍ୟଙ୍କ ସହ ଗୋରିଲା ଯୁଦ୍ଧ କରି ସେମାନଙ୍କୁ ଅଟକାଉଥିଲେ । ଆଉ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିଲେ କୁଦୋପାଲିର କିଛି ବାସିନ୍ଦା ।
୧୮୫୭ ଡିସେମ୍ବର ୩୦ ତାରିଖରେ ଛବିଲ ସାଏ ଓ ତାଙ୍କର ସହଯୋଗୀ ମାନେ ପାହାଡ଼ରୁ ଓହ୍ଲାଇ କୁଦୋପାଲି ଗାଁକୁ ପୁଷପୁନି ପର୍ବ ପାଳନ କରିବାକୁ ଆସି ଗାଁ ନିକଟରେ ଥିବା ଏକ ଆମ୍ବତୋଟାରେ ବିଶ୍ରାମ ନେଉଥିବା ସମୟରେ ଇଂରେଜ ସୈନ୍ୟ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ସମୟରେ ଛବିଲ ସାଏଙ୍କ ଦଳ ଓ ଇଂରେଜ ମାନଙ୍କ ମଧ୍ୟରେ ଏକ ଘମାଘୋଟ ଯୁଦ୍ଧ ହୋଇଥିଲା । ଇଂରେଜ ସୈନ୍ୟ ଅଧିକ ଥିବାରୁ ଛବିଲ ସାଏ ଓ ତାଙ୍କ ଦଳ କୁଦୋପାଲି ପାହାଡ଼ ଆଡ଼କୁ ଯିବା ପାଇଁ ଗାଁ ଭିତରକୁ ପଶିବା ସମୟରେ ଛବିଲ ସାଏ ଓ ତାଙ୍କ ସହଯୋଗୀଙ୍କ ଉପରେ ଇଂରେଜ ମାନେ ଗୁଳି ଚଳାଇଥିଲେ । ଯେଉଁଥିରେ ୫୩ ଜଣ ଘଟଣା ସ୍ଥଳରେ ଶହୀଦ ହୋଇଥିଲେ ଓ ପରେ ଇଂରେଜମାନେ ଗିରଫ କରିଥିବା ୫ ଜଣଙ୍କୁ ଫାଶୀ ଦେଇଥିଲେ । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ଗ୍ରାମବାସୀ ଏହି ଶହୀଦ ମାନଙ୍କ ସ୍ମୃତିଚାରଣ ପାଇଁ ଡିସେମ୍ବର ୩୦ ତାରିଖରେ ଦୀପ ଜାଳି ମନେ ପକାନ୍ତି । ଆଜି ବି ସମ୍ବଲପୁର ଅଞ୍ଚଳର ହୁମ ବଉଲି ଲୋକ ଗୀତରେ ‘‘ଉଲି ଉଲି ଉଲି-ଉଲି ଉଲି, କୁଦୋପାଲି ଗାଁର ମଝା ଖୁଲି, ଛବିଲ ସାଏ କେ ବାଜଲା ଗୁଲି’’ର ପଂକ୍ତି ବୋଲାଯାଏ ।
ଡିସେମ୍ବର ୩୦ ତାରିଖରେ ଇଂରେଜ ମାନଙ୍କ ସହ ହୋଇଥିବା ଏହି ଯୁଦ୍ଧରେ କୁଦୋପାଲି ଗାଁର ବାଲକୀ ଗଣ୍ଡା, ହାଡୁ ଗଣ୍ଡା, ବୁଧୁ ଗଣ୍ଡା, ବାଳମୁକୁନ୍ଦ କନ୍ଧ, ଚୁନ୍ଦୀ କୁଡ଼ାଙ୍କ, ଛବିଲ ସାଏ ଓ ତାଙ୍କର ସହଯୋଗୀଙ୍କ ସହ ମୋଟ ୫୩ ଜଣ ଶହୀଦ ହୋଇଥିଲେ । ସେହିଦିନ ଇଂରେଜ ସୈନ୍ୟମାନେ ବାଦୀପାଲି ଓ ଦଣ୍ଡେଇପାଲି ଗାଁକୁ ଜଳେଇ ଦେଇଥିଲେ । ଡିସେମ୍ବର ୩୦ ତାରିଖର ସେହି ରାତିରେ ଏତେ ଭୟଙ୍କର ଯୁଦ୍ଧ ହୋଇଥିଲା ଯେ, ସେହିଦିନର ଘଟଣା ଆଜି ବି ଡିସେମ୍ବର ୩୦ ତାରିଖରେ ସ୍ଥାନୀୟ ଲୋକେ ଅନୁଭବ କରନ୍ତି ।ଡିସେମ୍ବର ୩୦ ତାରିଖ ରାତିରେ ସ୍ଥାନୀୟ ଲୋକେ ଘୋଡା ଦୌଡ଼ିବାର ଶବ୍ଦ, ଖଣ୍ଡା ଯୁଦ୍ଧ ଓ ଗୋଳାବାରୁଦର ଶବ୍ଦକୁ ଆଜି ବି ଅନୁଭବ କରନ୍ତି ବୋଲି କୁହନ୍ତି । ଏହାସହ ପ୍ରତ୍ୟେକ ବର୍ଷ ଏହି ଦିନ ଛବିଲ ସାଏଙ୍କ ଖଣ୍ଡାକୁ ପୂଜା କରିବା ସହ ଦୀପ ଜାଳନ୍ତି ଲୋକେ । ତେବେ ଏହି ଗାଁକୁ ଆଜିବି ସରକାରୀ ସ୍ତରରେ ଯେଉଁ ଭାବରେ ସ୍ୱୀକୃତି ମିଳିବା କଥା ତାହା ମିଳିପାରିନି ।
ଏଥିପାଇଁ ସ୍ଥାନୀୟ ଲୋକ ଏହି ଗାଁକୁ ଶହୀଦ ଗାଁ’ର ମାନ୍ୟତା ଦେବା ସହ ଶହୀଦଙ୍କ ସ୍ମୃତି ରକ୍ଷା ପାଇଁ ୫୦ ଡ଼ିସିମିଲ ଜମି ପ୍ରଦାନ କରାଯାଉ ବୋଲି ଜିଲ୍ଲା ପ୍ରଶାସନକୁ ଦାବି କରିଆସୁଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ