ସମ୍ବଲପୁର: ଚର୍ଚ୍ଚାରେ ସମ୍ବଲପୁର ଜିଲ୍ଲାର ମହିଳା ଚାଷୀ। ସମ୍ବଲପୁର ଯୁଜୁମୁରା ବ୍ଲକ ଘେନୁପାଲି ପଞ୍ଚାୟତର ଠାକୁରମାଲ ଗାଁର ମହିଳା ଚାଷୀ ଶଙ୍ଖଜିନି ପ୍ରଧାନ ଏବେ ରଙ୍ଗୀନ ଫୁଲ କୋବି ଚାଷ କରି ବେଶ୍ ଚର୍ଚ୍ଚା ସାଉଁଟୁଛନ୍ତି । ଏଥିସହ ଭଲ ରୋଜଗାର କରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି।
ବାଡ଼ିରେ ଫଳୁଛି ରଙ୍ଗୀନ ଫୁଲ କୋବି। ନିଜ ବାଡ଼ିରେ ଏମିତି ରଙ୍ଗୀନ ଫୁଲକୋବି ଉତ୍ପାଦନ କରୁଛନ୍ତି ମହିଳା ଚାଷୀ ଶଙ୍ଖଜିନୀ ପ୍ରଧାନ। ସାଧରଣ ଫୁଲକୋବିର ସ୍ବାଭାବିକ ରଙ୍ଗ ଠାରୁ ଟିକେ ଭିନ୍ନ। ଏପରି ବାଇଗିଣୀ ଓ ହଳଦିଆ ରଙ୍ଗର ଫୁଲ କୋବି ଚାଷ କରି ଶଙ୍ଖଜିନୀ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ରଙ୍ଗୀନ ଫୁଲକୋବି କିଣିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବ୍ୟବସାୟୀ ଆସୁଛନ୍ତି। ସାଧରଣ ଫୁଲକୋବି ଠାରୁ 30 ପ୍ରତିଶତ ଅଧିକ ରେଟରେ ଏହା ବିକ୍ରି ହେଉଛି। ଯାହାର ମୂଲ୍ୟ ମାର୍କେଟରେ 60 ରୁ 70 ଟଙ୍କା ରହିଛି।
ଏହି ରଙ୍ଗୀନ ଫୁଲ କୋବି ଚାଷ କରିବାର ଲାଭ ହେଉଛି ଯେ, ଏହା ଶୀଘ୍ର ଖରାପ ହୋଇ ନଥାଏ। ଶଙ୍ଖଜିନୀ ଏହି ରଙ୍ଗୀନ ଫୁଲକୋବି ଚାଷକୁ ୟୁଟ୍ୟୁବରୁ ଦେଖି ପ୍ରେରଣା ପାଇଥିଲେ। ଏହାପରେ ଦୋକାନରୁ ମଞ୍ଜି ଆଣିବା ପରେ ଏହି ରଙ୍ଗୀନ ଫୁଲକୋବି ଫୁଟାଇବାରେ ସେ ସଫଳ ହୋଇ ପାରିଛନ୍ତି। ଶଙ୍ଖଜିନୀଙ୍କ ଅକ୍ଲାନ୍ତ ପରିଶ୍ରମ ତାଙ୍କ ଫୁଲକୋବି ବାଡ଼ିରେ ପ୍ରତିଫଳିତ ହୋଇଛି। ଏହି ରଙ୍ଗୀନ ଫୁଲକୋବି ଫଳିବା ପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଙ୍କୁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯାଉଛି।
ଶଙ୍ଖଜିନୀଙ୍କୁ ସରକାରୀ ସ୍ତରରେ ଅନେକ ପ୍ରକାର ସହାୟତା ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ଭିଏଡବ୍ଲ୍ୟୁ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ