ସମ୍ବଲପୁର: ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଅଜଣା ଟ୍ରକ ଧକ୍କାରେ ମାଆ ଝିଅଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ରାସ୍ତା ଜାମ ହୋଇଥିଲା । ଫଳରେ ଅନେକ ଗାଡ଼ି ଅଟକି ରହିଥିଲା । ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଗାଁରୁ ଏକ ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ଓ ତାଙ୍କର 4ବର୍ଷର ଝିଅ ସମ୍ବଲପୁର ଜିଲ୍ଲା ମାଝିପାଲୀ ଗାଁକୁ ଯାଉଥିଲେ । ପାଣ୍ଡଲୋଇ ଠାରେ ହଠାତ୍ ଏକ ଟ୍ରକ ଆସି ବାଇକକୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ ବାଇକ ଚାଳକ ସହ ୨ ଆରୋହୀ ଛିଟିକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ମାଆ, ଝିଅଙ୍କ ମୃତ୍ୟୁ ହୋଇଛି । ତେବେ ବାଇକ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସମ୍ବଲପୁର ରେଙ୍ଗାଲି 10 ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଏହାଦ୍ୱାରା ସମ୍ବଲପୁର ଝାରସୁଗୁଡା ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା । ଅଜଣା ଟ୍ରକ ଧକ୍କାରେ ବାଇକରେ ଥିବା ମା ଓ ଝିଅର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସମ୍ବଲପୁର ଝାରସୁଗୁଡା ରାସ୍ତାର ଏହି ଅଞ୍ଚଳରେ ବିଭିନ୍ନ ସମୟରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବା ସହ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ତେଣୁ ସ୍ଥାନୀୟ ପୋଲିସର ଟ୍ରାଫିକ ପରିଚାଳନା ନେଇ ଲୋକେ ପ୍ରଶ୍ନ କରିଛନ୍ତି l
ଏହାମଧ୍ୟ ପଢ଼ନ୍ତୁ. Nepal Plane Crash: ମୃତକ 15 ବିଦେଶୀ ନାଗରିକଙ୍କ ମଧ୍ୟରେ 5 ଭାରତୀୟ
ଖବରପାଇ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତା ରୋକ ହଟିଥିବା ଜଣାପଡ଼ିଛି । ଏହାସହ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ଡ୍ରାଇଭରକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି । ରାସ୍ତାରେ ପଡ଼ିଛି ମାଆ, ଝିଅଙ୍କ ମୃତଦେହ । ସେପଟେ ପରିବାର ଲୋକେ ମଧ୍ୟ ମୃତଦେହ ପାଖରେ ଅଛନ୍ତି । କୁନି ଝିଅଟି ପାଖରେ ବସି ନିଜ ମାଆ ଓ ଭଉଣୀକୁ ଖୋଜୁଛି । ମାଆ ଓ ଭଉଣୀର ମୃତ୍ୟୁକୁ ଗ୍ରହଣ କରିପାରୁନି ଏ କୁନି ଝିଅ ।
ଇଟିଭି ଭାରତ, ସମ୍ବଲପୁର