ସମ୍ବଲପୁର: ପୋଲ ଉପରେ ଝୁଲୁଛି ଟ୍ରକ, ରାସ୍ତାର ଉଭୟ ପାର୍ଶ୍ବରେ ଯାତାୟତ ଠପ । ରେଢ଼ାଖୋଲ ଜାତୀୟ ରଜପଥ 55ର ଚାରମାଳ ନିକଟସ୍ଥ ବ୍ରିଜରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଝୁଲିରହିଛି । ଯାହା ଫଳରେ ଦୀର୍ଘ ୧୧ ଘଣ୍ଟା ଧରି ଜାତୀୟ ରାଜପଥରେ ଯାତାୟତ ଠପ ହୋଇଯାଇଛି ।
ସୂଚନା ଅନୁଯାୟୀ ଜାତୀୟ ରାଜପଥ 55ରେ ରେଢାଖୋଲରୁ ଆସି ସମ୍ବଲପୁର ଅଭିମୁଖେ ଏକ ଧାନ ବୋଝେଇ ଟ୍ରକ ଯାଉଥିଲା । ଟ୍ରକଟି ରେଢାଖୋଲ ଓ ଚାରମାଲ ମଝିରେ ଥିବା ସିଙ୍ଗଲ ବ୍ରିଜ ଉପରେ ନିୟନ୍ତ୍ରଣ ହରାଇ ଝୁଲନ୍ତା ଅବସ୍ଥାରେ ଝୁଲି ରହିଛି । ଫଳରେ ଟ୍ରକଟି ବ୍ରିଜ ଉପରେ ରହିଥିବାରୁ ଜାତୀୟ ରାଜପଥ ଗତକାଲି ରାତି ୧୧ଟାରୁ ଯାତାୟତ ସମ୍ପୂଣ୍ଣ ଭାବେ ବନ୍ଦ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ବସ ଗତକାଲି ରାତିରୁ ଅଟକି ରହିଛି ।
ବରଗଡ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା, ସୁନ୍ଦରଗଡ ବିଭିନ୍ନ ସହରମାନଙ୍କରୁ ନାଇଟ ଏକ୍ସପ୍ରେସ ଏହି ରୁଟ ଦେଇ ଭୁବନେଶ୍ବର ଯିବା ଆସିବା କରିଥାଏ । ହେଲେ ଗତକାଲି ରାତିରୁ ଏହି ଟ୍ରକଟି ସିଙ୍ଗିଲ ବ୍ରିଜ ଉପରେ ଝୁଲନ୍ତା ଅବସ୍ଥାରେ ଥିବାରୁ ସମସ୍ତ ବସ ଅଟକି ରହିଛି । ବର୍ତମାନ ପ୍ରଶାସନ ପକ୍ଷରୁ ଟ୍ରକକୁ ପୋଲ ଉପରୁ ହଟାଯାଇଛି । ଫଳରେ ଯାତାୟାତ ସ୍ବାଭାବିକ ହୋଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ