ଭୁବନେଶ୍ବର/ ସମ୍ବଲପୁର: ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବେ । ଜିଲ୍ଲାର ୨ଲକ୍ଷ ୨୮ହଜାର ୨୧୩ଜଣ ହିତାଧିକାରୀ ସ୍ମାର୍ଟ ହେଲ୍ଥ କାର୍ଡ ପାଇବେ । ଏହା ସହ ମୁଖ୍ୟମନ୍ତ୍ରୀ ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର, ପୁରୀ, ଦେବଗଡ, ମୟୂରଭଞ୍ଜ ପରେ ସମ୍ବଲପୁରରେ ଲେଖାହେବ ସ୍ୱାସ୍ଥ୍ୟସେବାର ନୂଆ ଅଧ୍ୟାୟ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଯିବେ ସମ୍ବଲପୁର । ବାଣ୍ଟିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ । ଏହା ସହ ସମ୍ବଲପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ପ୍ରସ୍ତୁତି ଶେଷ ପଯ୍ୟାୟରେ ପହଞ୍ଚିଛି ।
କୁଚିଣ୍ଡାର ମୁକୁନ୍ଦି ପଡ଼ିଆରେ ହେବାକୁ ଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ହେଲିପ୍ୟାଡ ମଧ୍ୟ ତିଆରି ହୋଇ ସାରିଛି। ସମ୍ବଲପୁର ଏସପି ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି 18 ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା ବେଳେ ଆସନ୍ତାକାଲି ଆଉ 2 ପ୍ଲାଟୁନ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ। ସୁରକ୍ଷା ଦୃଷ୍ଟିକୋଣରୁ ସମ୍ବଲପୁରର କେତେକ ବିଜେପି ନେତାକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ଦ୍ୱାରା ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରିବ । ପ୍ରତି ପରିବାରକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ରାଜ୍ୟ ତଥା ରାଜ୍ୟ ବାହାରର ୨ ଶହରୁ ଅଧିକ ହସ୍ପିଟାଲରେ ସ୍ମାର୍ଟ ହେଲ୍ଥ କାର୍ଡରେ ସ୍ୱାସ୍ଥ୍ୟ ସେବା ମିଳିବ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାଗସ୍ତରେ ଯାଇ ବିଏସକେଓ୍ୱାଇ ଯୋଜନାରେ ସ୍ମର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ ଓ ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ