ସମ୍ବଲପୁର: ପଶ୍ଚିମ ଓଡିଶାର ସଂସ୍କୃତିର ଅନନ୍ୟ ପରିଚୟ ସମ୍ବଲପୁରୀ ବସ୍ତ୍ର। ସୁନ୍ଦର କାରିଗରୀ ଓ ମନଲୋଭା ଡିଜାଇନ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହାକୁ ବେଶ୍ ଖ୍ୟାତି ମିଳିଛି । ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବିଦ୍ୟା ବାଲନଙ୍କ ପର୍ଯ୍ୟନ୍ତ ସେ ରାଜନୀତି ହେଉ ବା ସିନେମା ସବୁଠି ରହିଛି ସମ୍ବଲପୁରୀ ବସ୍ତ୍ରର ଛାପ । ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିବା ପାଇଁ ସେତିକି ଆରାମଦାୟକ ଏହି ବସ୍ତ୍ର । ତେବେ ଏହା କେମିତି ତିଆରି ହୁଏ, କେତେ ସମୟ ଲାଗେ ଓ କେଉଁ ସବୁ ଜିନିଷର ବ୍ୟବହାର ହୁଏ ତାହା ଜାଣିବା ପାଇଁ ଆମେ ପହଁଞ୍ଚିଥିଲୁ ଏହି ସୁନ୍ଦର ହସ୍ତତନ୍ତର ବୁଣାକାରଙ୍କ ପାଖରେ ।
ସମ୍ବଲପୁରୀ ବସ୍ତ୍ର ବା ସମ୍ବଲପୁରୀ ଶାଢ଼ୀ। ଏହା ମୁଖ୍ୟତଃ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକ ବାନ୍ଧ କଳା ବା ହସ୍ତତନ୍ତ। ଏହାକୁ ମୁଖ୍ୟତଃ ପଶ୍ଚିମ ଓଡି଼ଶାର ଭୁଲିଆ ବା ମେହେର ସମ୍ପ୍ରଦାୟର ବୁଣାକାରମାନେ ତିଆରି କରନ୍ତି । ସମ୍ବଲପୁରୀ ବସ୍ତ୍ର ବା ହସ୍ତତନ୍ତ ପାଇଁ ଆବଶ୍ୟକ ହୋଇଥାଏ ସୂତା ଓ ରଙ୍ଗ । ଆଉ ଏହାକୁ ପାରମ୍ପରିକ ବୁଣିବା ଯନ୍ତ୍ର ‘ମଙ୍ଗା’ ସାହାଯ୍ୟରେ ବୁଣା ଯାଇଥାଏ। ଗୋଟିଏ ସମ୍ବଲପୁରୀ ଶାଢ଼ୀ ତିଆରି କରିବାକୁ ସପରିବାର ଶ୍ରମଦାନ କରନ୍ତି। ଏହି କାର୍ଯ୍ୟ ପାଇଁ 3 ରୁ 5 ଜଣ ସଦସ୍ୟ ଦୈନିକ 15 ଘଣ୍ଟା ପରିଶ୍ରମ କରନ୍ତି। ସୂତାରେ ରଙ୍ଗ ବୋଳିବା ଓ ବାନ୍ଧିବା ମୁଖ୍ୟତଃ ମହିଳା ସଦସ୍ୟ କରନ୍ତି। ଏହାପରେ ଡିଜାଇନ ଅନୁସାରେ ଶାଢ଼ୀ ବୁଣିବାର କାର୍ଯ୍ୟ ପୁରୁଷ ସଦସ୍ୟ କରନ୍ତି । ଗୋଟିଏ ସାଧାରଣ ଶାଢ଼ୀ ତିଆରି ପାଇଁ 2 ରୁ 7 ଦିନ ପର୍ଯ୍ୟନ୍ତ ଲାଗୁଥିବାବେଳେ ଭଲ କଳାତ୍ମକ ଡିଜାଇନର ଶାଢ଼ୀ ବୁଣିବାକୁ 8 ଦିନରୁ ଗୋଟିଏ ମାସ ପର୍ଯ୍ୟନ୍ତ ଲାଗିଥାଏ। ସେ ଯେକୌଣସି ଶାଢ଼ୀ ପାଇଁ 6 ରୁ 7 ବଣ୍ଡଲ 120 ନମ୍ବର ସୂତା ଲାଗିଥାଏ। ସାମଗ୍ରୀକ ଭାବେ ଯେ କୌଣସି ଶାଢ଼ୀ ତିଆରି ପାଇଁ 700 ଟଙ୍କାରୁ 800 ଟଙ୍କାର ସୂତା ଓ ରଙ୍ଗ ଆବଶ୍ୟକ ହୋଇଥାଏ। ଏହି ସବୁ ସାମଗ୍ରୀ ମୁଖ୍ୟତଃ ବରଗଡ଼ ଜିଲ୍ଲାରେ ଉପଲବ୍ଧ। ତେବେ ବଡ଼ କଥା ହେଲା ଜଣେ ବ୍ୟକ୍ତି ଏକାକୀ ଗୋଟିଏ ମାସରେ ଗୋଟିଏ ବି ସମ୍ବଲପୁରୀ ଶାଢ଼ୀ ବୁଣି ପାରିବ ନାହିଁ ।
ଅନ୍ୟପଟେ ବ୍ୟବସାୟୀମାନଙ୍କ କହିବା କଥା ହେଲା ସମ୍ବଲପୁରୀ ବସ୍ତ୍ରର ଦାମ ନିର୍ଭର କରିଥାଏ ଶାଢ଼ୀର ଡିଜାଇନ ଓ ଲେବର ଚାର୍ଜ ଉପରେ। ବ୍ୟବସାୟୀଙ୍କ ଅନୁସାରେ ଜଣେ ବୁଣାକାରର ଦୈନିକ ଲେବର ଚାର୍ଜ 600 ଟଙ୍କା ଅଟେ। ଏଥିପାଇଁ ଯେ କୌଣସି ଶାଢ଼ୀ ପାଇଁ କଞ୍ଚାମାଲର ଖର୍ଚ୍ଚ ସୀମିତ ହୋଇଥିବା ବେଳେ ଏହାର ଡିଜାଇନ ଅନୁସାରେ ଏହାକୁ ତିଆରି କରିବାର ଅବଧି ବଢି଼ଥାଏ। ଅବଧି ବଢିଲେ ଲେବର ଚାର୍ଜ ବଢିଥାଏ ଓ ଏହା ଅନୁସାରେ ସମ୍ବଲପୁରୀ ଶାଢ଼ୀର ଦାମ ନିର୍ଦ୍ଧାରିତ ହୋଇଥାଏ। ଗୋଟିଏ ସାଧାରଣ ସମ୍ବଲପୁରୀ ଶାଢ଼ୀର ଦାମ 2000 ରୁ 15000 ପର୍ଯ୍ୟନ୍ତ ହୋଇଥିବା ବେଳେ ସମ୍ବଲପୁରୀ ଆର୍ଟ ସିଲ୍କ ପାଟ 5000 ରୁ 8000 ପର୍ଯ୍ୟନ୍ତ ଓ ପିଓର ସିଲ୍କ ପାଟ 5000ରୁ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ରହୁଛି।
ବିଶ୍ବ ଦରବାରରେ ସମ୍ବଲପୁରୀ ହସ୍ତତନ୍ତର କ୍ରେଜ କାହିଁରେ କଣ । ଏବେ ବିଭିନ୍ନ ଫ୍ୟାସନ ସୋରେ ଅନେକ ଡିଜାଇନର ଡ୍ରେସ ଓ ଶାଢ଼ୀ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହି ବାନ୍ଧକଳାର ବସ୍ତ୍ର ତିଆରିରେ ଅତ୍ୟଧିକ ପରିଶ୍ରମ ଲାଗୁଥିଲେ ମଧ୍ୟ ନିଜ ହାତର ସୁନ୍ଦର କାରିଗରୀରେ ତିଆରି ବସ୍ତ୍ର ଦେଖି ବୁଣାକାର ପାଏ ଆତ୍ମସନ୍ତୋଷ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ