ସମ୍ବଲପୁର: ବସ ଷ୍ଟାଣ୍ଡରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରିବେ ଶିକ୍ଷକ। ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ନିର୍ଦେଶନାମା ଜାରି କରାଯାଇଛି। ଯାହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଶିକ୍ଷକମାନେ ଏହାର ବିରୋଧ କରିଛନ୍ତି ।
ଅଲ ଉତ୍କଳ ପ୍ରାଇମେରୀ ଶିକ୍ଷକ ସଂଘ, ସମ୍ବଲପୁର ଜିଲ୍ଲା, ଧନକଉଡା ଶାଖା ପକ୍ଷରୁ ଏହି ନିର୍ଦ୍ଦେଶନାମାକୁ ବିରୋଧ କରି ପ୍ରତିବାଦ କରିଛନ୍ତି । ଗତ କିଛି ଦିନ ହେବ ଜିଲ୍ଲାରେ କୋରୋନା ସଂକ୍ରମଣ ଵୃଦ୍ଧି ଘଟଣା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି । ତେବେ ସଂକ୍ରମଣ ରୋକିବା ସହ ସଚେତନତା ସୄଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଏଭଳି ପଦକ୍ଷେପ ନେଇଛି।
ପୂର୍ବରୁ ଜିଲ୍ଲାର ପ୍ରମୁଖ ରେଳଷ୍ଟେସନରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ ଦାୟିତ୍ୱ ଦିଆଯାଇଛି ଜିଲ୍ଲାର ଶିକ୍ଷକଙ୍କୁ । ଏବେ ସମ୍ବଲପୁର ଜିଲ୍ଲାରେ 4ଟି ରେଳ ଷ୍ଟେସନ ସହ ଵସଷ୍ଟେସନ ଠାରେ ୬୫ ଜଣ ଶିକ୍ଷକ ଥର୍ମାଲ ସ୍କ୍ରିନିଙ୍ଗ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲାପ୍ରଶାସନ ।
ଆଉ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ନିଷ୍ପତ୍ତି ସଙ୍ଗେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷକଙ୍କ ପାଇଁ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ