ସମ୍ବଲପୁର: ସମଲେଇ ଯୋଜନାରେ ହେଉଥିବା ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଏକ ସ୍ପେସିଆଲ ଲିଭ ପିଟିସନ ଆବେଦନ ପ୍ରସଙ୍ଗ । ଏହାକୁ ସୁପ୍ରିମକୋର୍ଟର ବି.ଆର ଗାଭାଇ ଓ ଜେବି ପରଦିୱାଲ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବ ଶଙ୍କର ମିଶ୍ର ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ସହ ସମଲେଇ ଯୋଜନା ସାପକ୍ଷରେ ଯୁକ୍ତି ବାଢିଥିଲେ । ଏହି ଘଟଣାକୁ ନେଇ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଖୁସିବ୍ୟକ୍ତ କରିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ରାଜ୍ୟ ସରକାର ସମ୍ବଲପୁରର ପ୍ରସିଦ୍ଧ ସମଲେଶ୍ବରୀ ପୀଠର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ସମଲେଇ ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ସମଲେଶ୍ବରୀ ମନ୍ଦିର ଚାରି ପାଖରେ ଥିବା ବେସରକାରୀ ଜମି ଅଧିଗ୍ରହଣ ତଥା ସରକାରୀ ଜମିରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉଛି । ଏହା ସହ ଆରଆର ସ୍କିମରେ ଗରିବ ଜମିହରା ଉଚ୍ଛେଦ ହୋଇଥିବା ଲୋକଙ୍କୁ ଥଇଥାନ ମଧ୍ୟ କରାଯାଉଛି । ଏହି ଯୋଜନା ଦ୍ବାରା ସମଗ୍ର ପଶ୍ଚିମ ଓଡ଼ିଶାର ଲୋକେ ଉପକୃତ ହେବେ । ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ଅଗ୍ରଗତିରେ ଏହା ସହାୟକ ହେବ ବୋଲି ରାଜ୍ୟ ସରକାରଙ୍କ ଓକିଲ ଭାବେ ଶିବ ଶଙ୍କର ମିଶ୍ର ଦର୍ଶାଇଥିଲେ । ଏହି ଯୁକ୍ତିକୁ ଆଧାର କରି ସର୍ବୋଚ୍ଚ ଅଦାଲତ SLPକୁ ଖାରଜ କରିଛନ୍ତି ।
ଏହା ବି ପଢନ୍ତୁ- ସମଲେଇ ଯୋଜନାକୁ ବିରୋଧ, ବିସ୍ଥାପିତଙ୍କ ବିକ୍ଷୋଭ ପ୍ରଦର୍ଶନ
ସମଲେଇ ଯୋଜନା ଚାଲୁଥିବା ବେଳେ ଏହାର ଚାରିପାର୍ଶ୍ଵରେ ସରକାରୀ ଜମିରେ ଦୀର୍ଘ ବର୍ଷ ହେଲା ବହୁ ଜମିହୀନ ପରିବାର ରହି ଆସୁଥିଲେ । ସମଲେଇ ଯୋଜନା ପାଇଁ ଏମାନଙ୍କୁ ନୋଟିସ ଦେବା ପରେ ଜବରଦଖଲ ଉଚ୍ଛେଦ ମଧ୍ୟ କରାଗଲା । ତେବେ ଏନେଇ ଜମିହରା ପରିବାରମାନଙ୍କ ପକ୍ଷରୁ ରାକେଶ ସୁନା ନାମକ ଜଣେ ବ୍ୟକ୍ତି ସମଲେଇ ଯୋଜନାରେ ହେଉଥିବା ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଏକ ସ୍ପେସିଆଲ ଲିଭ ପିଟିସନ ଆବେଦନ କରିଥିଲେ। ଏହାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।
ସୂଚନା ଥାଉ କି ସମଲେଶ୍ବରୀ ମନ୍ଦିର ପାଇଁ ସମଲେଇ ଯୋଜନାରେ ବିସ୍ଥାପିତ ହେଉଥିବା ପ୍ରତ୍ୟେକ ଜମିହରା ପରିବାରଙ୍କୁ ଘର ତିଆରି ପାଇଁ ଅଢେଇ ଲକ୍ଷ ଲେଖାଏଁ କ୍ଷତିପୂରଣ ଦିଆଯାଉଥିବା ବେଳେ 3 ମାସ ପାଇଁ ଭଡାରେ ରହିବା ଓ ଜିନିଷ ପତ୍ର ସ୍ଥାନାନ୍ତର ପାଇଁ ଆର୍ଥିକ ସହାୟତା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ତେଵେ ଏତେ କମ ଅର୍ଥରେ ସମ୍ବଲପୁର ପରି ସହରରେ ଏକ ବାସଗୃହ ନିର୍ମାଣ କରିବା ସମ୍ଭବ କି ବୋଲି SLPରେ ପ୍ରଶ୍ନ କରାଯାଇଥିଲା । ଜମିହରାଙ୍କ ପକ୍ଷରୁ ଆଇନଜୀବୀ ସୋମନାଥ ପ୍ରଧାନ ସୁପ୍ରିମକୋର୍ଟରେ ମାମଲାର ପରିଚାଳନା କରିଥିଲେ ।
ପ୍ରାୟ 100 ବର୍ଷ ପୂର୍ବେ ପାଟଣାଗଡ଼ ମହାରାଜ ଅନୁସୂଚିତ ଜାତିରେ ଏହି ଲୋକଙ୍କୁ ସମଲେଶ୍ବରୀ ମନ୍ଦିରରେ ଗଣ୍ଡା ବାଜା ବଜେଇବା ପାଇଁ ସମଲେଶ୍ବରୀ ମନ୍ଦିର ପାଖ ଘୁନଘୁଟିପଡାରେ ଥଇଥାନ କରେଇଥିଲେ ବୋଲି ସୁପ୍ରିମକୋର୍ଟରେ ଦର୍ଶାଯାଇଥିଲା । ତେବେ 1981 ମସିହାର ସରକାରୀ ରେକର୍ଡ ଅନୁସାରେ ଏହି ଜମିହରା ଲୋକମାନେ ଜବରଦଖଲକାରୀ ତାଲିକାରେ ଅଛନ୍ତି । ତେବେ ଜମିହରାଙ୍କ ପକ୍ଷରୁ SLP ରେ ବିସ୍ଥାପିତ ଲୋକଙ୍କ ପାଇଁ ନୂଆ ସ୍କିମରେ କ୍ଷତିପୂରଣ ଓ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା ।
ଇଟିଭି ଭାରତ, ସମ୍ବଲପୁର