ସମ୍ବଲପୁର: ଦୀର୍ଘ 12 ବର୍ଷର ପ୍ରତୀକ୍ଷାର ଅନ୍ତ ହୋଇଛି। ଶେଷରେ ସମ୍ବଲପୁର ମହାନଗର ନିଗମର ଉଠା ଦୋକାନୀଙ୍କୁ ମିଳିଛି ଏସଏମସି ପକ୍ଷରୁ ପରିଚୟ ପତ୍ର। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ 30 ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯାଇଛି।



ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଉଠା ଦୋକାନୀମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏବେ ସବୁ ଉଠା ଦୋକାନୀ ମାନଙ୍କୁ ଚିହ୍ନଟ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ 30 ଜଣଙ୍କୁ ଏହି ପରିଚିତ ପତ୍ର ପ୍ରଦାନ କରାଯାଇଛି। ଏହା ସହ ସମ୍ବଲପୁର ମହାନଗର ନିଗମର 10 ଟି ସ୍ଥାନରେ ଉଠା ଦୋକାନୀମାନେ ଅନଲାଇନରେ ନିଜର ପଞ୍ଜିକରଣ କରିବା ପାଇଁ ଆବେଦନ କରିପାରିବେ।


ପଞ୍ଜିକରଣ ହେବା ମାତ୍ରେ ଯେଉଁ ବ୍ୟାଙ୍କରେ ସେମାନଙ୍କ ଆକାଉଣ୍ଟ ଥିବ ସେହି ବ୍ୟାଙ୍କକୁ ସବୁ ସୂଚନା ମିଳିଯିବ। ଏହା ଦ୍ବାରା ସେହି ବ୍ୟାଙ୍କରୁ ଉଠା ଦୋକାନୀ ମାନେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରେ 10ହଜାର ଟଙ୍କା ପାଇ ପାରିବେ। ସମ୍ବଲପୁର ଉଠା ଦୋକାନୀ ସଙ୍ଘ ମହାନଗର ନିଗମର ଏହି ପଦକ୍ଷେପକୁ ସ୍ବାଗତ କରିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ