ସମ୍ବଲପୁର: ଝାଡୁଆପଡାର ଲୋକନାଥ ବାବା, ମୁଦିପଡା ଜାଗେଶ୍ୱର ବାବା ଓ ବଡବଜାର ଶୀତଳେଶ୍ୱର ବାବାଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ ବା ହନୁମାନ ନିଉତା ଗତ ଗୁରୁବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି ।
ଶୁକ୍ରବାର ରାତିରେ ଦେବ ଦମ୍ପତିଙ୍କ ବାହାଘର ହେବାକୁ ଥିବା ବେଳେ ସମ୍ବଲପୁରର ଛୋଟବଡ଼ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟିର ହନୁମାନ ନିଉତା ଶେଷ ହୋଇଛି ବୋଲି ମୁଖ୍ୟ ପୂଜକ ମହେନ୍ଦ୍ର ପୂଜାରୀ କହିଛନ୍ତି ।
ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ଭଗବାନ ହନୁମାନ ଏକ ଦିବ୍ୟ ବିମାନରେ ବସି ସହରର ସମସ୍ତ ଦେବାଳୟକୁ ଯାଇ ମିଠେଇ, ସୁପାରୀ ଓ ହଳଦୀ ଗୁଣ୍ଡ ଦେଇ ଦେବ ଦମ୍ପତିଙ୍କ ବିବାହ ପାଇଁ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିବା ନେଇ ଝାଡୁଆପଡା ଶୀତଲଷଷ୍ଠୀ ଯାତ୍ରା କମିଟି ଉପସଭାପତି ସୁଶାନ୍ତ କୁମାର ପୁରୁହିତ କହିଛନ୍ତି ।
ଭଗବାନ ହନୁମାନଙ୍କ ଦେବ ନିମନ୍ତ୍ରଣ ଶୋଭାଯାତ୍ରାରେ ପାରମ୍ପାରିକ ଲୋକ କଳାକାର ସାମିଲ ହୋଇ ନିଜ କଳା ପରିବେଷଣ କରିଥିଲେ । ଏଥିସହ ସମ୍ବଲପୁର ଝାଡୁଆପଡା ଯାତ୍ରା କମିଟିର ହନୁମାନ ନିଉତାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସାମିଲ ହୋଇଥିଲେ । ଶୀତଳ ଷଷ୍ଠୀ ଅବସରରେ ସମ୍ବଲପୁରବାସୀଙ୍କୁ ଜୟନାରାୟଣ ଶୁଭେଚ୍ଛା ଜଣାଇଛନ୍ତି ।
ଆଜି ରାତ୍ରି ସାଢେ10 ଟା ପରେ ବରଯାତ୍ରୀ ଶୋଭାଯାତ୍ର ବାହାରିବା ସହ ରାତି 3 ଟାରୁ ଭୋର 5ଟା ମଧ୍ୟରେ ବାହାଘର ହେବ ।
ସମ୍ବଲପୁରୁରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ