ସମ୍ବଲପୁର: ଆଉ ଦିନ କେଇଟା ପରେ ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା l ବିବାହ ବନ୍ଧନରେ ବାନ୍ଧି ହେବେ ଦେବ ଦମ୍ପତି । ଆସନ୍ତା 24 ତାରିଖ ପ୍ରଭୁ ହରପାର୍ବତୀଙ୍କ ବାହାଘର ଅନୁଷ୍ଠିତ ହେବ । ଯାହାକୁ ନେଇ ଏବେଠୁ ଚଳଚଞ୍ଚଳ ହୋଇ ଉଠିଛି ସହର । ବିବାହ ପାଇଁ କନ୍ୟାପକ୍ଷ ପୁରା ପ୍ରସ୍ତୁତ । ମାତା ଜଗତ ଜନନୀଙ୍କୁ କନ୍ୟା ରୂପରେ ପାଇବା ପରେ ସମସ୍ତ କନ୍ୟାପକ୍ଷ ଦ୍ବାରା ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବିବାହ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ କିଣାକିଣି ଶେଷ ହୋଇସାରିଛି ।
ସମ୍ବଲପୁରର ସର୍ବ ପୁରାତନ ଶୀତଳ ଷଷ୍ଠୀ ଯାତ୍ରା କମିଟି ନନ୍ଦପଡ଼ାର ମାତା ପାର୍ବତୀଙ୍କ କନ୍ୟା ପିତାମାତା ହୋଇଥିବା ଦମ୍ପତି ତଥା ଜଗନ୍ନାଥ କଲୋନୀ ବାସିନ୍ଦା ରାଜେନ୍ଦ୍ର କୁମାର ନନ୍ଦ ଓ ସୁଲୋଚନା ନନ୍ଦଙ୍କ ଘର ଏବେ ଚଳଚଞ୍ଚଳ l ପୂର୍ବରୁ ନିଜର 2 ଝିଅ ଓ ଗୋଟିଏ ପୁଅର ବିବାହ କରେଇ ସାରିଥିବା ବେଳେ ବର୍ତ୍ତମାନ ଏହି ଦମ୍ପତି ମାତା ପାର୍ବତୀଙ୍କୁ କନ୍ୟା ରୂପରେ ପାଇ ବିବାହ କରାଇବାକୁ ଯାଉଛନ୍ତି l ଏଥିପାଇଁ ପାର୍ବତୀଙ୍କ ସବୁ ଗହଣା, ଶାଢ଼ୀ, ଘରକରଣା ସାମଗ୍ରୀ ହେଉକି ଆସବାବପତ୍ର ସବୁ କିଣାକିଣି ସରିଛି l ମହାଦେବଙ୍କ ପାଇଁ ମୁକୁଟ, ତ୍ରିଶୁଳ, କଠଉ ସହ ସବୁକିଛି କିଣା ହୋଇଛି । ସମ୍ପର୍କୀୟଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ଦିଆସାରିଛି l
ଅନ୍ୟପଟେ ସମ୍ବଲପୁରର ଠାକୁରପଡ଼ା ଶୀତଳ ଷଷ୍ଠୀ ଯାତ୍ରା କମିଟିର କନ୍ୟା ପିତାମାତା ହୋଇଥିବା ଭୀମଭୋଇ ନଗର ନିବାସୀ ରାଧେଶ୍ୟାମ ମିଶ୍ର ଓ ପିଙ୍କି ମିଶ୍ରଙ୍କ ଘରେ ମଧ୍ୟ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏନେଇ ରାଧେଶ୍ୟାମ ମିଶ୍ର କହିଛନ୍ତି, "ପାର୍ବତୀଙ୍କୁ କନ୍ୟା ରୂପେ ପାଇ ଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି । ବାହାଘର ପାଇଁ ଘରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ପାର୍ବତୀଙ୍କ ପାଇଁ ପାଟ ଶାଢ଼ୀ, ଗହଣା ଗାଣ୍ଠି କିଣା କିଣି ସାରିଥିବା ବେଳେ ନିଜର ଜମାତା ମହାଦେବଙ୍କ ପାଇଁ କଠଉ, ତ୍ରିଶୂଳ ସହ ସବୁ ପ୍ରକାର ଆବଶ୍ୟକୀୟ ସାମଗ୍ରୀ କିଣା ସରିଛି l କାର୍ଡ ଛପା ହୋଇ ସମ୍ପର୍କୀୟଙ୍କୁ ବଣ୍ଟା ସରିଛି । ଓଡ଼ିଆ ପରମ୍ପରା ଅନୁଯାୟୀ ଯେଉଁଭଳି ଭାବରେ ବିବାହ ହୁଏ, ସେହିପରି ସମସ୍ତ ବ୍ୟବସ୍ଥା ହୋଇଛି ।" ତେବେ ଆସନ୍ତା 24 ତାରିଖ ରାତିରେ ମହାଦେବ ବରଯାତ୍ରୀ ଶୋଭାଯାତ୍ରାରେ ବାହାରିବେ ଓ ବିଳମ୍ବିତ ରାତିରେ ହେବ ବାହାଘର l 25 ତାରିଖ ରାତିରେ ଯୁଗଳମୂର୍ତ୍ତି ଶୋଭାଯାତ୍ରା ବାହାରି 26 ତାରିଖ ସନ୍ଧ୍ୟାରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ l
ଇଟିଭି ଭାରତ, ସମ୍ବଲପୁର