ସମ୍ବଲପୁର: ଗୋଷ୍ଠୀ କନ୍ଦଳକୁ ନେଇ ମନ୍ଦିରରେ ତାଲା । ସମ୍ବଲପୁର ଜିଲ୍ଲାର ହୁମା ଗାଁରେ କେବଳ ହରିଜନ ସମାଜ ଉଦ୍ଦେଶ୍ୟରେ ଥିବା ଏକ ମନ୍ଦିର ନେଇ ହରିଜନ ସମାଜ ମଧ୍ୟରେ ବିବାଦ ଦେଖାଯାଇଛି । ହରିଜନ ଗଣ୍ଡା ସମାଜ ଦ୍ବାରା ନିଜସ୍ବ ଉଦ୍ୟମରେ ତିଆରି ହୋଇଥିବା ଏକ ମନ୍ଦିରରେ ନିଜ ସମାଜର ଗୋଷ୍ଠୀ ବିବାଦ ଯୋଗୁଁ ଗୋଟିଏ ଗୋଷ୍ଠୀର ଲୋକେ ମନ୍ଦିର ପ୍ରବେଶ କରିବାରୁ ବଞ୍ଚିତ ହେଉଛନ୍ତି । ଏପରିକି ମନ୍ଦିରକୁ ତାଲା ମାରି ପୂଜକଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେଉନଥିବା କିଛି ଲୋକ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ସେମାନେ ସମ୍ବଲପୁର ଏସପିଙ୍କ ଦ୍ବାରସ୍ଥ ହୋଇ ସୁରକ୍ଷା ମାଗିବା ସହ ସମସ୍ୟାର ସମାଧାନ ପାଇଁ ଏସପିଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ସୂଚନା ଅନୁଯାୟୀ, ହୁମା ଗ୍ରାମ ପଞ୍ଚାୟତର ହୁମା ଗାଁରେ 2010 ମସିହାରେ ହରିଜନ ଗଣ୍ଡା ସମାଜ ଲୋକେ ନିଜ ଜାତି ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ । ତେବେ ମନ୍ଦିର ସମ୍ପର୍ଣ୍ଣ ହେବାକୁ ଆଉ କିଛି କାର୍ଯ୍ୟ ବାକି ଥିବାବେଳେ ମନ୍ଦିର ପରିଚାଳନା ନେଇ ଗଣ୍ଡା ସମାଜ ମଧ୍ୟରେ ଅନ୍ତର୍ଦ୍ବନ୍ଦ ଦେଖିବାକୁ ମିଳିଛି । ଫଳରେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀକୁ ମନ୍ଦିରରେ ପ୍ରବେଶ କରିବାକୁ ଦେଉନାହାଁନ୍ତି । ଏମିତିକି ମନ୍ଦିରରେ ତାଲା ମଧ୍ୟ ପକାଇ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ପର୍ଶୁରାମ ଭରତ ସାଗର ନାମକ ଜଣେ ବ୍ୟକ୍ତିଙ୍କ ନେତୃତ୍ବରେ କିଛି ଲୋକ ଘଟଣାରେ ସମ୍ବଲପୁର ଏସପିଙ୍କ ସହାୟତା ପାଇଁ ଲିଖିତ ଭାବେ ଜଣାଇଛନ୍ତି । ହରି ମହାନନ୍ଦ ନାମକ ପୂର୍ବତନ ସରପଞ୍ଚ ଓ ତାଙ୍କର କିଛି ସମର୍ଥକ ତାଙ୍କୁ ଧମକ ଚମକ ଦେଉଥିବା ସହ ମନ୍ଦିର ପ୍ରବେଶକୁ ବାରଣ କରୁଥିବା କହିଛନ୍ତି ଅଭିଯୋଗକାରୀ ।
ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ