ସମ୍ବଲପୁର: ଆଜି ଥିଲା ଅଗଷ୍ଟ 1 । ତଥା ସମ୍ବଲପୁରୀ ଦିନ l ସମ୍ବଲପୁରୀ କୋଷଲୀ ଭାଷା ସାହିତ୍ୟ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ । ଏହି ଦିନକୁ 2013 ରୁ ପଶ୍ଚିମ ଓଡିଶାବାସୀ ସମ୍ବଲପୁରୀ ଦିନ ଭାବେ ପାଳନ କରିଆସୁଛନ୍ତି । ଧୀରେ ଧୀରେ ଏହି ଉତ୍ସବର ଶୋଭା ଓ କଲେବର ବଢିବାରେ ଲାଗିଛି । ଆଜି ସମ୍ବଲପୁରୀ ଦିନ ହୋଇଥିବା ବେଳେ ସମ୍ବଲପୁରର କଚେରୀ ଛକ ଓ ଗଙ୍ଗାଧର ମଣ୍ଡପରେ ସମ୍ବଲପୁରୀ ଦିନ ପାଳନ ହେଉଛି l ଏହି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୋଟିଏ ଦିନ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ଓ ଶାଢ଼ୀ ପିନ୍ଧିବା କାର୍ଯ୍ୟାଳୟ ଆସିବାକୁ ନିର୍ଦେଶ ଦିଆଯାଇଥିଲା ।
ଏହାବି ପଢନ୍ତୁ- ସମ୍ବଲପୁରୀ ଦିନ୍: ସମ୍ବଲପୁରୀ ପାଟରେ ଦର୍ଶନ ଦେଉଛନ୍ତି ସମଲେଶ୍ବରୀ
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ସମସ୍ତ ସରକାରୀ କର୍ମଚାରୀ ମାନେ ସମ୍ବଲପୁରୀ ପୋଷାକ ମହିଳା କର୍ମଚାରୀ ମାନେ ଶାଢ଼ୀ ପିନ୍ଧିଥିବା ନିଜ ନିଜ କାର୍ଯ୍ୟାଳୟକୁ ଆସିଥିଲେ । l ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀ ଅଧିକାରୀ ଆଜି ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ । ସମ୍ବଲପୁରୀ ଦିନ ଅବସରରେ ସମ୍ବଲପୁରୀ ଭାଷା, ସଂସ୍କୃତି, ଖାଦ୍ୟ ପାନୀୟର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି l
ଏହି ପର୍ବ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ସମ୍ବଲପୁରୀ ଦିନର ଶୁଭକାମନା ଜଣାଇଛନ୍ତି । ସମ୍ବଲପୁରୀ ଦିନରେ ସମ୍ବଲପୁର ସହରର 2 ଟି ସ୍ଥାନରେ ଓ ହୀରାକୁଦର ଗୋଟିଏ ସ୍ଥାନରେ ବଡ଼ ଆକାରରେ ସମ୍ବଲପୁରୀ ଦିନ ପାଳନ ହେଉଛି l ଅନ୍ୟପଟେ ଜିଲ୍ଲା ସାରା ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଆକାରରେ ଏହି ପର୍ବ ଉତ୍ସାହର ସହ ପାଳନ ହେଉଛି l ଜିଲ୍ଲା ପ୍ରଶାସନ ର ଏହି ପଦକ୍ଷେପ କୁ ଜନ ସାଧାରଣ ସ୍ବାଗତ କରିଛନ୍ତି l
ସେପଟେ ଆଜି ସମ୍ବଲପୁରୀ ଦିନ୍ ଅବସରରେ ସମ୍ବଲପୁର ଜେଲ ଛକ ଠାରେ ସ୍ଥିତ କଳା ପରିଷଦ ଠାରେ ସମ୍ବଲପୁରୀ କବିତା ଆବୃତ୍ତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ବଲପୁର ସମେତ ବିଭିନ୍ନ ସ୍ଥାନର ସମ୍ବଲପୁରୀ କବି ଆସି ନିଜର କବିତା ଆବୃତ୍ତି କରିଛନ୍ତି l ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହା ଏକ ମାଧ୍ୟମ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ କୁହାଯାଇଛି l
ଇଟିଭି ଭାରତ, ସମ୍ବଲପୁର