ସମ୍ବଲପୁର: ଦୀର୍ଘ 8ବର୍ଷ ପରେ ସହରର ନନ୍ଦପଡା ବାସିନ୍ଦା ଜୟଶ୍ରୀ ମିଶ୍ରଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ଅକ୍ଳାନ୍ତ ସଂଘର୍ଷ ଦ୍ବାରା ଶେଷରେ ମା'କୁ ନ୍ୟାୟ ଦେଇଛନ୍ତି ଝିଅ ବିଜୟିନୀ । ଏବେ ଅଭିଯୁକ୍ତ ଗିରଫ ହୋଇଛି ସତ, କିନ୍ତୁ ଏବେବି ମାମଲାର ଜଟିଳତା ଶେଷ ହୋଇନି ।
ପୋଲିସର ତଦନ୍ତ ସମୟରେ ମାଟିତଳୁ ମିଳିଥିବା 8ବର୍ଷ ପୁରୁଣା ଖପୁରୀର ଅଂଶ ବିଶେଷର ସତ୍ୟତା ପ୍ରମାଣ ସଂଗ୍ରହ କରିବାରେ ଲାଗିପଡିଛି । ଯେଉଁଥିପାଇଁ ଖପୁରୀର ଅଂଶ ବିଶେଷର ପରୀକ୍ଷା ପାଇଁ ବୁର୍ଲା ଭୀମସାରର FMTକୁ ପଠାଯାଇଛି । ସେଠାରେ ପରୀକ୍ଷା ହେବା ପରେ ମିଳିଥିବା ଡାଟାକୁ ଡିଏନଏ ପ୍ରୋଫାଇଲିଂ ପାଇଁ ଭୁବନେଶ୍ବର FSLକୁ ପଠାଯିବ ବୋଲି କହିଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର ।
ତେବେ ଘଟଣାର ଅଭିଯୁକ୍ତ ବସନ୍ତ ପଣ୍ଡା ନିଜର ଦୋଷ ସ୍ବୀକାର କରିଥିଲେ ମଧ୍ୟ ଏହାକୁ ପ୍ରମାଣ କରିବା ପାଇଁ ପୋଲିସକୁ ମିଳିଥିବା ଖପୁରୀର ଅଂଶ ବିଶେଷ ଜୟଶ୍ରୀ ମିଶ୍ରଙ୍କର ବୋଲି ପ୍ରମାଣିତ କରିବାକୁ ପଡିବ ନଚେତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା କଷ୍ଟକର ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ