ସମ୍ବଲପୁର: ନିଜ ଜୀବନର ଲକ୍ଷ୍ୟ ହାସଲ ପାଇଁ କିଏ କେଉଁ ବା ଉପାୟ ଅବଲମ୍ବନ କରିନପାରେ । ଯାହାର ଏକ ନିଆରା ଉଦାହରଣ ତିଆରି କରିଛନ୍ତି ସମ୍ବଲପୁରର ସୁନ୍ଦରୀ । ଯିଏକି ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଘରୁ ଲୁଚିକି ସୁଦୂର ରାଜସ୍ଥାନକୁ ପଳାଇଥିଲେ । ହେଲେ ସେଠାରୁ ଫେରିବା ସମୟରେ ନିଜ ସହ ନେଇ ଆସିଛନ୍ତି ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାର କ୍ରାଉନ । ଏମିତି ଜଣେ ଯୁବତୀ ହେଉଛନ୍ତି ସମ୍ବଲପୁରର ସୁନନ୍ଦା ପ୍ରିୟଦର୍ଶିନୀ ମଲ୍ଲିକ।
ସୁନନ୍ଦାଙ୍କ ଜୀବନର ଲକ୍ଷ୍ୟ ଥିଲା ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ସଫଳତା ପାଇବା । କାଳେ ବାପାମାଆ ଏଥିରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବେ ନାହିଁ, ସେହି ଭୟରେ ସେ ଘରେ କାହାକୁ ନ ଜଣାଇ ରାଜସ୍ଥାନ ଚାଲି ଯାଇଥିଲେ । ରାଜସ୍ଥାନସ୍ଥିତ ଜୟପୁର ଠାରେ ହେଉଥିବା ମିସ ଇଣ୍ଡିଆ ଚାରମିଙ୍ଗ ଫେସ୍ 2021 ବିୟୁଟି ପିଜେଣ୍ଟରେ ଭାଗ ନେଇଥିଲେ ସୁନନ୍ଦା । ତାଙ୍କ ସହ ପ୍ରତିଯୋଗିତାରେ 20ଜଣ ପ୍ରତିଯୋଗୀ ସାମିଲ ଥିଲେ । ପ୍ରତିଯୋଗିତାରେ ସୁନନ୍ଦା ଭାଗ ନେଇ 'ଫାଷ୍ଟ ରନର୍ସ ଅଫ'ର କ୍ରାଉନ ଜିତିବା ସହ Best Walk ଓ Miss Telented ହୋଇ ଘରକୁ ଫେରିଛନ୍ତି । ଓଡିଆ ଯୁବତୀଙ୍କ ଏହି ସଫଳତା ନେଇ ଏବେ ସମ୍ବଲପୁରରେ ଜୋର ଧରିଛି ଚର୍ଚ୍ଚା ।
ସୁନନ୍ଦା ପ୍ରିୟଦର୍ଶିନୀଙ୍କ ଘର ସମ୍ବଲପୁର ଧନକଉଡା ବ୍ଳକ ଅଞ୍ଚଳରେ । ପୂର୍ବରୁ ସେ ମିସ୍ ଓଡିଶା, ବେଷ୍ଟ ଡ୍ରିମ, ସମ୍ବଲପୁର ଓ ବେଷ୍ଟ ସ୍ମାଇଲ ଜିତି ସାରିଛନ୍ତି । ଆଗକୁ ମଧ୍ୟ ଏହି କ୍ଷେତ୍ରରେ ଅନେକ ସଫଳତା ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ସୁନନ୍ଦା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ