ସମ୍ବଲପୁର: ଦୁଗ୍ଧ ହେଉଛି ପୁଷ୍ଟିକର ଓ ପ୍ରୋଟିନ ଯୁକ୍ତ ପେୟ । ଏହା ସବୁ ସ୍ଥାନରେ ସବୁବେଳେ ଉପଲବ୍ଧ ମଧ୍ୟ। ଏହାର ଆବଶ୍ୟକତା ଓ ଉପଯୋଗୀତାକୁ ଦେଖି ସରକାରୀ ସ୍ତରରେ ଦୁଗ୍ଧ ବ୍ୟବସାୟକୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି । ବିଭିନ୍ନ ସ୍ଥାନରେ ଦୁଗ୍ଧ ସମବାୟ ସମିତି ଗଠନ କରି ଗ୍ରାମାଞ୍ଚଳର ଲୋକେ ଭଲ ଅର୍ଥ ଉପାର୍ଜନ କରି ସ୍ବାବଲମ୍ବୀ ହୋଇଛନ୍ତି । ତେବେ କୋଭିଡ କଟକଣା ଜନିତ ସଟଡାଉନ ଓ ଲକଡାଉନ ଯୋଗୁଁ ସମ୍ବଲପୁର ଅଞ୍ଚଳରେ ଦୁଗ୍ଧ ବ୍ୟବସାୟ ପ୍ରାୟ 50 ପ୍ରତିଶତ କମିଯାଇଛି । ଆଉ ଏହା ଦ୍ବାରା ସମ୍ବଲପୁର ସମେତ ପଶ୍ଚିମ ଓଡିଶାର 6ଟି ଜିଲ୍ଲାର 35 ହଜାର ଦୁଗ୍ଧ ଚାଷୀଙ୍କ ଜୀବନ ଜୀବିକା ବିପନ୍ନ ହୋଇଛି।
ମୁଖ୍ୟତଃ ଫେବୃଆରୀ ଶେଷରୁ ଅଗଷ୍ଟ ମାସ ଯାଏଁ ଦୁଗ୍ଧ ବ୍ୟବସାୟର ସର୍ବୋତ୍ତମ ସମୟ ହୋଇଥାଏ । ଏହି ସମୟରେ ପୂଜା, ପାର୍ବଣ ସହ ବିବାହ ବ୍ରତ ହୋଇଥାଏ । ତେବେ ଚଳିତବର୍ଷ ଠିକ ଏହି ସମୟରେ କୋଭିଡ କଟକଣା ଲାଗିଲା। ଆଉ ଏହି ସମୟରେ ମନ୍ଦିର ଓ ହୋଟେଲ ଶିଳ୍ପ ମଧ୍ୟ ଠପ ହୋଇଗଲା । ଯାହାର ସିଧା ପ୍ରଭାବ ପଡ଼ିଲା ଦୁଗ୍ଧ ବ୍ୟବସାୟ ଉପରେ। ଏହାର ପ୍ରଭାବରେ ପଶ୍ଚିମ ଓଡିଶାର 6ଟି ଜିଲ୍ଲାରେ ଦୁଗ୍ଧ ବ୍ୟବସାୟ 50 ପ୍ରତିଶତ ହ୍ରାସ ପାଇଲା। ଯାହା ଏବେ ବି ଜାରି ରହିଛି ।
ଏହା ଦ୍ବାରା ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲାର 505 ଦୁଗ୍ଧ ସମବାୟ ସମିତି 35 ହଜାର ଦୁଗ୍ଧ ଚାଷୀ ପ୍ରଭାବିତ ହୋଇଛନ୍ତି । ଗ୍ରାମାଞ୍ଚଳରେ ଥିବା ଛୋଟ ଦୁଗ୍ଧ ସମବାୟ ସମିତିର ଜଣେ ଦୁଗ୍ଧ ଚାଷୀ କୋଭିଡ କଟକଣା ପୂର୍ବରୁ ମାସିକ 300 ରୁ 600 ଲିଟର ପର୍ଯ୍ୟନ୍ତ ଦୁଗ୍ଧ ବିକ୍ରି କରୁଥିବା ବେଳେ କୋରୋନା କାଳରେ କ୍ଷୀର ଚାହିଦା କମିବାରୁ ଏହା 50 ପ୍ରତିଶତ ହ୍ରାସ ପାଇଥିବା ଚାଷୀ କୁହନ୍ତି ।
ଆଉ ଏହାର ପ୍ରଭାବରେ ଗ୍ରାମଞ୍ଚଳର ଗୋଟିଏ ସମବାୟ ସମିତିରେ ମାସିକ ପ୍ରାୟ 3000 ଲିଟର ଦୁଗ୍ଧ ସଂଗ୍ରହ ହେଉଥିବାବେଳେ ଏହା ବର୍ତ୍ତମାନ 1000 ରୁ 1500 ଲିଟର ମଧ୍ୟରେ ସୀମିତ ରହୁଛି । ଏହା ସହ ଗତ 3 ମାସରେ କୋଭିଡ କଟକଣା ଯୋଗୁଁ ଆଞ୍ଚଳିକ ସମବାୟ ସମିତି ମଧ୍ୟ ଦୁଗ୍ଧର ଚାହିଦା କମିଯିବା ଦେଖି ଗୋଟିଏ ମାସରେ 15 ଦିନର ଦୁଗ୍ଧ କିଣୁଥିଲା। ଫଳରେ ଚାଷୀଙ୍କୁ ମାସିକ 9 ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡିଛି। ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ହୋଇଥିଲେ ମଧ୍ୟ 50 ପ୍ରତିଶତ ବ୍ୟବସାୟ ହ୍ରାସ ପାଇଛି।
ସମ୍ବଲପୁରର ସମଲେଶ୍ବରୀ ଆଞ୍ଚଳିକ କୋପରେଟିଭ ମିଳ୍କ ପ୍ରଡ୍ୟୁସର ୟୁନିୟନ ପରିପ୍ରେକ୍ଷୀରେ ଦେଖିଲେ ଏଠାରେ ସମ୍ବଲପୁର ସମେତ 6ଟି ଜିଲ୍ଲାର 505 ସମବାୟ ସମିତିର ଦୁଗ୍ଧ ଚାଷୀ ଦୁଗ୍ଧ ବିକ୍ରି କରନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଭିଡ କଟକଣା ପୂର୍ବରୁ ଏଠାରେ ଦୈନିକ 1ଲକ୍ଷ 6 ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଥିଲା। ତେବେ ବର୍ତ୍ତମାନ ଏହା 50ହଜାର ଲିଟରରେ ହିଁ ସୀମିତ ରହିଛି। ଆଉ ଏହା ଦ୍ବାରା 16 ହଜାର ଦୁଗ୍ଧ ଚାଷୀ ସିଧାସଳଖ ପ୍ରଭାବିତ ହୋଇଛନ୍ତି।
ମୁଖ୍ୟତଃ ଦୁଗ୍ଧ ଅପେକ୍ଷା ଦୁଗ୍ଧଜାତ ଦ୍ରବ୍ୟରେ ଅଧିକ ଲାଭ ହେଉଥିବାରୁ ଏହି ଆଞ୍ଚଳିକ ସମବାୟ ସମିତି ବିଭିନ୍ନ ସମୟରେ ରାଜ୍ୟ ବାହାରର କେତେକ ସଂସ୍ଥାକୁ ଦୁଗ୍ଧ ଜାତ ଦ୍ରବ୍ୟ ଉତ୍ପାଦନ ପାଇଁ ଓଡିଶାରୁ ବଳକା ଦୁଗ୍ଧ ପଠାଉଥିଲେ ଓ ଆବଶ୍ୟକ ସମୟରେ ସେମାନଙ୍କ ଠାରୁ ସବୁ ପ୍ରକାର ଦୁଗ୍ଧଜାତ ଦ୍ରଵ୍ୟ ମଗାଇ ଲାଭବାନ ହେଉଥିଲେ । ତେବେ କୋଭିଡ କଟକଣା ଯୋଗୁ ସେହି ସଂସ୍ଥା ଗୁଡିକ ଦୁଗ୍ଧ ନନେବାରୁ ସମ୍ବଲପୁର ଅଞ୍ଚଳରେ ଦୁଗ୍ଧ ବ୍ୟବସାୟ 50 ପତିଶତ ହ୍ରାସ ପାଇଥିବା କୁହାଯାଉଛି।
କିନ୍ତୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମ୍ବଲପୁରର ସମଲେଶ୍ବରୀ ରିଜିଓନାଲ କୋଅପରେଟିଭ ମିଳ୍କ ପ୍ରଡ୍ୟୁସର ୟୁନିୟନ 6 ଟି ଜିଲ୍ଲାର 13ହଜାର 686 ଦୁଗ୍ଧ ଚାଷୀ ଙ୍କୁ କିଷାନ କ୍ରେଡିଟ କାର୍ଡ ଜରିଆରେ ସହାୟତା ଯୋଗାଇ ଦେବାକୁ ଚାଷୀଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କରେ ଫର୍ମ ଆବେଦନ କରିଛି । ଯେଉଁଥିରୁ ବର୍ତ୍ତମାନ ସୁଦ୍ଧା 6 ଟି ଜିଲ୍ଲାର 149 ଜଣ ଚାଷୀ 46 ଲକ୍ଷ ଟଙ୍କାର ଆର୍ଥିକ ସହାୟତ ପାଇସାରିଛନ୍ତି ।
ଦୁଗ୍ଧ ଚାଷୀ ହୁଅନ୍ତୁ କି ଦୁଗ୍ଧ ବ୍ୟବସାୟ କରୁଥିବା ସମବାୟ ସମିତିର ଅଧିକାରୀ ସମସ୍ତେ କୁହନ୍ତି ଯେ ଦୀର୍ଘ 32 ବର୍ଷରେ ଦୁଗ୍ଧ ବ୍ୟବସାୟରେ ଏମିତି ହ୍ରାସ କେବେ ହୋଇନଥିଲା।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ