ସମ୍ବଲପୁର: ବର୍ତ୍ତମାନ କୋରୋନା ମହାମାରୀ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଥିବା ବେଳେ ଶତାଧିକ ସଂଖ୍ୟାରେ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି କ୍ଷେତ୍ରରେ ଅନେକ ରୋଗୀ, ଡାକ୍ତରୀ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ଆଉ କିଛି ରୋଗୀ ଭଗବାନଙ୍କ ଭରସାରେ ରହୁଛନ୍ତି ।
ତେବେ ନିକଟରେ ବୁର୍ଲା ଭିମସାରର କୋଭିଡ ହସ୍ପିଟାଲରେ ଜଣେ କୋଭିଡ ଆକ୍ରାନ୍ତ ନର୍ସଙ୍କୁ ତ୍ରୁଟିପୂର୍ଣ୍ଣ ଚିକିତ୍ସା ସେବା ଦେଇଥିବା ଘଟଣାର ଚର୍ଚ୍ଚା ଥମି ନଥିବା ବେଳେ ଆଉ କିଛି ନର୍ସ ଓ ଡାକ୍ତର ଚିକିତ୍ସିତ ହେଉଥିବା କୋଭିଡ ଆକ୍ରାନ୍ତଙ୍କ ମୁହଁରେ କିଛି ହସ ଫୁଟାଇବାକୁ ସାମାନ୍ୟ ଚେଷ୍ଟା କରିଛନ୍ତି । ଏଭଳି ଏକ ଭିଡ଼ିଓ ବର୍ତ୍ତମାନ ସମ୍ବଲପୁରରେ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ନର୍ସ ରୋଗୀଙ୍କୁ ସାମାନ୍ୟ ଆସ୍ବସ୍ତି ଦେବା ପାଇଁ ନିଜେ ନାଚିବା ସହିତ ରୋଗୀଙ୍କୁ ମଧ୍ୟ ହସାଇବାକୁ ଚେଷ୍ଟା କରିଛନ୍ତି । ଜଣେ ମହିଳା ରୋଗୀ ମଧ୍ୟ ନିଜକୁ ଆସ୍ବସ୍ତି ଦେବା ପାଇଁ ବେଡ଼ରେ ଶୋଇ ନାଚକୁ ଉପଭୋଗ କରୁଥିବା ଦୃଶ୍ୟ ବେସ ଖୁସି କରିଛି ସମସ୍ତଙ୍କୁ । ତେବେ ଏହି ଭିଡିଓଟି ବୁର୍ଲା ଭୀମସାର କୋଭିଡ ହସ୍ପିଟାଲ 2 ର ବୋଲି ଚର୍ଚ୍ଚା ହେଉଛି ।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ