ସମ୍ବଲପୁର: ରାଜ୍ୟରେ କୋରୋନାର ପ୍ରଭାବ ହ୍ରାସ ପାଉଥିବାବେଳେ ଇତିମଧ୍ୟରେ ଅନେକ ଧର୍ମାନୁଷ୍ଠାନ ଖୋଲିଲାଣି । ଆସନ୍ତା ଜାନୁଆରୀ 3 ତାରିଖରୁ ଖୋଲିବ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର । ଏ ସମ୍ପର୍କରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ସଞ୍ଜୟ ବାବୁ ମଙ୍ଗଳବାର ସୂଚନା ଦେଇଛନ୍ତି । ଏନେଇ ମାର୍ଗଦର୍ଶିତା ଜାରି କରାଯାଇଛି ।
ତେବେ ମନ୍ଦିର ଖୋଲିବାର ପ୍ରଥମ 5 ଦିନ ଅର୍ଥାତ 7 ତାରିଖ ଯାଏଁ ସମ୍ବଲପୁର ବାସିନ୍ଦାଙ୍କୁ ହିଁ ମାଙ୍କ ଦର୍ଶନ କରିବାର ସୁଯୋଗ ମିଳିବ । ଶ୍ରଦ୍ଧାଳୁମାନେ ହାତୀ ଦ୍ୱାର ପଟୁ ପ୍ରବେଶ କରି ମୁଖ୍ୟ ଦ୍ୱାର ଦେଇ ପ୍ରସ୍ଥାନ କରିବା ନେଇ ସ୍ଥିର ହୋଇଛି । ଏହାସହ ଏକ ସମୟରେ 5ରୁ ଅଧିକ ଶ୍ରଦ୍ଧାଳୁ ଓ 2 ରୁ ଅଧିକ ପୂଜକ ମୂଖ୍ୟ ମନ୍ଦିର ଭିତରେ ରହି ପାରିବେ ନାହିଁ ଏବଂ କୌଣସି ଶ୍ରଦ୍ଧାଳୁ ଗର୍ଭଗୃହରେ ପଶି ପାରିବେନି ବୋଲି ନିଷ୍ପତ୍ତି ହୋଇଛି । ସଂକ୍ରମଣ ଭୟକୁ ନଜରରେ ରଖି ସମସ୍ତ ଶ୍ରଦ୍ଧାଳୁଙ୍କ ଥର୍ମାଲ ସ୍କ୍ରିନିଂ ଓ ବିଶୋଧନ କରାଯିବ । ସେମାନେ ବାହାରୁ କୌଣସି ଫୁଲ, ଫଳ ଓ ଭୋଗ ମନ୍ଦିର ଭିତରକୁ ନେଇ ପାରିବେ ନାହିଁ । ତେବେ ଶିଶୁ ଓ ବୟସ୍କ ଲୋକଙ୍କୁ ମନ୍ଦିରକୁ ନ ଆସିବାକୁ ପରାମର୍ଶ ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ