ସମ୍ବଲପୁର: ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଥମିକ ଶିକ୍ଷାର ସାମୂହିକ ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ନିଜ ଜନ୍ମଭୂମି ସମ୍ବଲପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଏହା କହିଛନ୍ତି ।
ଅବସର ଥିଲା ସମ୍ବଲପୁର ପଟ୍ଟନାୟକ ପଡା ସ୍ଥିତ ବ୍ରଜମୋହନ ପଟ୍ଟନାୟକ ସ୍କୁଲର ନବନିର୍ମିତ କୋଠାର ଉଦଘାଟନ ଉତ୍ସବ । ଏହି ସ୍କୁଲକୁ ବର୍ତ୍ତମାନ NTPC ପକ୍ଷରୁ ପୁନରୁଦ୍ଧାର କରାଯାଇ ଏକ ଆଦର୍ଶ ବିଦ୍ୟାଳୟ ରୂପେ ରୂପାନ୍ତରିତ କରାଯାଇଛି। ରୂପାନ୍ତରିତ ସ୍କୁଲକୁ ଉଦଘାଟନ କରିଛନ୍ତି ଡକ୍ଟର ପ୍ରମୋଦ କୁମାର ମିଶ୍ର । ଉଦଘାଟନ କରି କହିଛନ୍ତି ଏହି ସ୍କୁଲ ଟି NTPC ପକ୍ଷରୁ ପୁନରୁଦ୍ଧାର କରାଯାଇ ଏକ ଆଦର୍ଶ ବିଦ୍ୟାଳୟର ରୂପ ଦିଆଯାଇଛି। ଯାହା ବର୍ତ୍ତମାନ ସମୟରେ ଜରୁରୀ ଥିଲା । କୋଭିଡ ବେଳେ ଅନଲାଇନ ଶିକ୍ଷାଦାନର ଗୁରୁତ୍ବ ବଢିଛି । ଏହି ସ୍କୁଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି ।
ସେ ଆହୁରି କହିଛନ୍ତି ଯେ ଆଜିର ଛାତ୍ରଛାତ୍ରୀ ବହୁତ ଭାଗ୍ୟବାନ । କାରଣ ସେମାନଙ୍କ ହାତ ପାହାନ୍ତାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ଫଳରେ ସ୍ମାର୍ଟ କ୍ଲାସ ରୁମ ଜରିଆରେ ଛାତ୍ରଛାତ୍ରୀ ନିଜର ସାମୁହିକ ବିକାଶ କରିପାରିବେ। ଏହାସହ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ସ୍ତରରେ ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ।
ସୂଚନାଯୋଗ୍ୟଯେ ସମ୍ବଲପୁର ପଟ୍ଟନାୟକ ପଡାରରେ ୧୯୧୦ ମସିହାରେ ନିର୍ମିତ ହୋଇଥିଲା ବ୍ରଜମୋହନ ପଟ୍ଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଆଉ ଏହି ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ ଡକ୍ଟର ପ୍ରମୋଦ କୁମାର ମିଶ୍ର । ବର୍ତ୍ତମାନ ସ୍କୁଲକୁ ରୂପାନ୍ତରିତ ହେବାପରେ ଆଜି ଉଦଘାଟିତ ହୋଇଛି ।
ଏହି ଅବସରରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ , ଜିଲ୍ଲାପାଳ, NTPC ର ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ