ସମ୍ବଲପୁର : ନାଟକୀୟ ଭାବରେ ସମ୍ବଲପୁର ଜିଲ୍ଲା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଦଳରୁ ବହିଷ୍କାର । ପ୍ରମୋଦ ରଥଙ୍କୁ ଦଳରୁ ବହିଷ୍କାର କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଶଙ୍ଖ ଭବନ ପକ୍ଷରୁ ଚିଠି ଜାରି କରାଯାଇଛି । ସେପଟେ ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି ଏବଂ ଦଳ ତରଫରୁ ତାଙ୍କ ପାଖକୁ କୌଣସି ନିର୍ଦ୍ଦେଶ ଆସି ନାହିଁ ବୋଲି କହିଛନ୍ତି ପ୍ରମୋଦ । ତେବେ ଅଚାନକ ଏଭଳି ଭାବରେ ଜଣେ ବରିଷ୍ଠ ନେତାଙ୍କୁ ଦଳରୁ ବହିଷ୍କାର କରାଯିବାକୁ ନେଇ ସମ୍ବଲପୁର ଜିଲ୍ଲା ବିଜେଡିରେ ହଇଚଇ ସୃଷ୍ଟି ହୋଇଛି ।
ଆଜି ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ରଥ ସମ୍ବଲପୁର ମହାନଦୀ କ୍ଳବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଥିବା ବେଳେ ଅଚାନକ ତାଙ୍କ ବହିଷ୍କାରର ଖବର ଆସିଥିଲା । ମୁଖ୍ୟତଃ ହାଇକୋର୍ଟ ଆନ୍ଦୋଳନ ପ୍ରସଙ୍ଗ ଓ ଗତ ନିର୍ବାଚନରେ ବିଜେଡି ପକ୍ଷରୁ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇ ଥିଲା ତାହା ପୂରଣ କରାଯାଇ ନାହିଁ ସେନେଇ ଆଜି ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଥିଲେ । ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେଉ ହେଉ ଦଳରୁ ବହିଷ୍କାର ହୋଇଥିବା ନେଇ ଗଣମାଧ୍ୟମରୁ ଖବର ପାଇଥିଲେ ।
ତେବେ ଏନେଇ ପ୍ରମୋଦ ରଥ କହିଛନ୍ତି, "ଗତକାଲି ଠାରୁ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ନିଷ୍ପତି ନେଇଥିଲି । ମୁଖ୍ୟତଃ ହାଇକୋର୍ଟ ବେଞ୍ଜ ସମ୍ପର୍କରେ କରାଯାଇଥିବା କମିଟମେଣ୍ଟ ରଖିାଯାଇ ନାହିଁ । ଗତ ନିର୍ବାଚନରେ ବିଜେଡି ପକ୍ଷରୁ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯାଇ ନାହିଁ, ଏହାକୁ ନେଇ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସମ୍ମିଳନୀ ଚାଲିଥିବା ବେଳେ ଦଳରୁ ବହିଷ୍କାର ହୋଇଥିବା ଖବର ପାଇଥିଲି । ଏଥିରୁ ଜଣା ପଡ଼ୁଛି ସତ ଶୁଣିବା ପାଇଁ ବିଜେଡି ଦଳ ପ୍ରସ୍ତୁତ ନୁହଁନ୍ତି । ମୋ ପାଖକୁ ଏପର୍ଯ୍ୟନ୍ତ କୌଣସି ଚିଠି ଆସି ନାହିଁ । କେବଳ ଗଣମାଧ୍ୟମରୁ ଏ ଖବର ଜାଣିବାକୁ ପାଇଛି । ଯଦି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇବା ଦଳ ବିରୋଧୀ କାମ, ଯଦି ଲୋକଙ୍କର ଦାବି ଉଠାଇବା ଦଳ ବିରୋଧୀ କାର୍ଯ୍ୟ ତାହାଲେ ଏହା ଦଳ ବିରୋଧୀ ହୋଇଥିବ ।"
ଏହା ମଧ୍ୟ ପଢ଼ନ୍ତୁ.....ସୌମ୍ୟ-ସୁଧାଂଶୁ ବିଜେଡିରୁ ବିଦା: କଂଗ୍ରେସ ପଚାରିଲା ଆଜି ଯାଏଁ କାହିଁକି ଚୁପ୍ ଥିଲେ ନବୀନ ?
ସୂଚନା ଯୋଗ୍ୟ ଯେ, ପ୍ରମୋଦ ରଥ ପୂର୍ବରୁ କଂଗ୍ରେସ ଦଳରେ ଥିବା ବେଳେ 2014ରେ ସେ ବିଜେଡିରେ ଯୋଗ ଦାନ କରି ଜିଲ୍ଲା ସଭାପତି ହୋଇଥିଲେ । 2019 ରେ ନିର୍ବାଚନ ପୂର୍ବରୁ ତାଙ୍କୁ ପଦରୁ ଅବ୍ୟାହତି ଦିଆଯାଇଥିଲା । କିଛି ଦିନ ତଳେ ତାଙ୍କୁ ଦଳ ପକ୍ଷରୁ ଏକ ପଦବୀ ଦିଆଯାଇଥିବା ବେଳେ ଏହାକୁ ସେ ଗ୍ରହଣ କରି ନଥିଲେ । ସେ ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଏକ ଆଶାୟୀ ପ୍ରାର୍ଥୀ ଥିଲେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ । ତେବେ ଗତକାଲି ଗୋଶାଳା ନିକଟରେ ଏକ ହୋଟେଲରେ ପଶ୍ଚିମ ଓଡିଶାର ବିଜେଡି ନେତା ଓ ବିଧାୟକ ଓ କର୍ମୀଙ୍କ ଏକ ଗୁରୁତ୍ୱପୂର୍ଣ ବୈଠକ ହୋଇଥିବା ବେଳେ ତାଙ୍କୁ ଡକା ଯାଇନଥିବା କହିଛନ୍ତି ପ୍ରମୋଦ ।
ଇଟିଭି ଭାରତ, ସମ୍ବଲପୁର