ସମ୍ବଲପୁର: ବୁର୍ଲା ଭୀମସାର୍ରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ଓ କଙ୍ଗାରୁ କୋର୍ଟ ଘଟଣାକୁ ବିତିଯାଇଛି 4 ଦିନ । ଘଟଣାରେ ନିର୍ଯ୍ୟାତନାର ଶିକାର 2 ଯୁବକଙ୍କୁ ପୋଲିସ ଜେଲ ପଠାଇଥିବାବେଳେ କଙ୍ଗାରୁ କୋର୍ଟ କରିଥିବା ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୋଲିସ । ଯାହାକୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅପରପକ୍ଷେ ଉକ୍ତ ମାମଲାରେ ସ୍ବାଭିମାନ ସମ୍ବଲପୁର ସଂଗଠନର ସଦସ୍ୟମାନେ ସମ୍ବଲପୁର ଏସପିଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ସେପଟେ କିନ୍ତୁ ସମ୍ବଲପୁର ଏସପିଙ୍କୁ ଏ ସମ୍ବନ୍ଧରେ ଯେଉଁ ପ୍ରଶ୍ନ ପଚାରିଲେ ସେ ସର୍ବଦା ଗୋଟିଏ ଉତ୍ତର ଦେଉଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ଚାଲିଥିବାବେଳେ ସିସିଟିଭି ଫୁଟେଜ ଓ ଡକ୍ୟୁମେଣ୍ଟକୁ ଆଧାର କରି ବୈଜ୍ଞାନିକ ପଦ୍ଧତିରେ ତଦନ୍ତ ଜାରି ରହିଛି । ତେବେ ଭାଇରାଲ ଭିଡିଓରେ ସବୁ କିଛି ସ୍ପଷ୍ଟ ହେଉଥିଲେ ମଧ୍ୟ ଏସପିଙ୍କ ବାରମ୍ବାର ଗୋଟିଏ ପ୍ରତିକ୍ରିୟା କୌଣସି କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଉନାହିଁ ।
ଏଠି ପ୍ରଶ୍ନ ଉଠୁଛି ଯଦି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି ତେବେ କଙ୍ଗାରୁ କୋର୍ଟରେ ନିର୍ଯ୍ୟାତନାର ଶିକାର ଯୁବକଙ୍କୁ କାହିଁକି ତରବରିଆ ଭାବେ ଧାରା 370 ଲଗାଇ ଜେଲ ପଠାଯାଇଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ