ସମ୍ବଲପୁର: ଆରମ୍ଭ ହୋଇଛି ଶୀତଳଷଷ୍ଠୀ ଯାତ୍ରାର ଦେଵ ବିବାହର ଆଦ୍ୟ ପର୍ଵ ପତର ପେଣ୍ଡି । ଶୁକ୍ରବାର ସମ୍ବଲପୁରର ଅନ୍ୟତମ ପ୍ରମୁଖ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟିର ବମ ବରାଡ଼ ବାଲୁଙ୍କେଶ୍ବର ବାବାଙ୍କର ପତର ପେଣ୍ଡି ସମ୍ପନ୍ନ ହୋଇଛି।
![patar pendi ritual, shitala sasti yatra, sitalasasthi sambalpur, ଶୀତଳ ଷଷ୍ଠୀ ଯାତ୍ରା, ପତର ପେଣ୍ଡି ପର୍ବ, ଦେବ ଦମ୍ପତିଙ୍କର ନିର୍ବନ୍ଧ, ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା](https://etvbharatimages.akamaized.net/etvbharat/prod-images/od-sam-03-nandapada-patarapendi-avb-7202776_11062021211801_1106f_1623426481_1036.png)
ସନ୍ଧ୍ୟା ପ୍ରାୟ 6 ଟା ସମୟରେ ବାଲୁଙ୍କେଶ୍ବର ବାବାଙ୍କ ମନ୍ଦିରରୁ ବରପିତା ସପ୍ତଋଷିଙ୍କ ସହ ବାହାରିଥିଲେ କନ୍ୟା ଅନ୍ବେଷଣରେ। ଏହାପରେ ସପ୍ତଋଷି ଓ ବରପିତା ପହଞ୍ଚିଥିଲେ କନ୍ୟା ପିତା ମାତା ହୋଇଥିବା ବୈଦ୍ୟନାଥ ଛକ ଅଞ୍ଚଳର କନ୍ୟା ପିତା ମାତା ହୋଇଥିବା ଗୋପାଳ ଚନ୍ଦ୍ର ସାହୁ ଏବଂ ପ୍ରମିଳା ସାହୁଙ୍କ ଘରକୁ। କନ୍ୟା ଘରକୁ ପହଞ୍ଚିବା ପରେ ବରପକ୍ଷକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ବରପକ୍ଷ ଏଠାକୁ ଆସିଥିବା ଅଭିପ୍ରାୟ କନ୍ୟାପକ୍ଷଙ୍କୁ ଜଣାଇଥିଲେ। କନ୍ୟା ପକ୍ଷ ମଧ୍ୟ ବର ପକ୍ଷର ଅଭିପ୍ରାୟ ଜାଣିଲା ପରେ ବର ପକ୍ଷଙ୍କୁ ଘରକୁ ଡାକି ତାଙ୍କ ସହ ଆଲୋଚନା କରିଥିଲେ।
ଏହି ଆଲୋଚନା ଭିତରେ ବରପକ୍ଷ ଦେଵ ଦେଵ ମହାଦେବଙ୍କ ଗୁଣ ଗାନ କରିଥିଲେ। ମହାଦେବଙ୍କ ଗୁଣଗାନ ଶୁଣି କନ୍ୟାପକ୍ଷ ବେଶ୍ ଖୁସି ହୋଇ ବରପକ୍ଷରୁ ଦିଆ ଯାଇଥିବା ବିବାହ ପ୍ରସ୍ତାବରେ ରାଜି ହୋଇଥିଲେ। ଏହାପରେ ବରପିତା କନ୍ୟାପିତାଙ୍କୁ ଗୋଟିଏ ବିଡା ସରଗି ପତ୍ର, ବେଲପତ୍ର ଏବଂ ଫୁଲ ଦେଇଥିଲେ ଯାହାପରେ ବିବାହ ସ୍ଥିରୀକୃତ ହେବା ସହ ନିର୍ବନ୍ଧ ହୋଇଥିଲା। ଶନିବାର ନରସିଂହ ନିଉତା ବା ଦେବ ନିମନ୍ତ୍ରଣ କାର୍ଯ୍ୟ ଅନୁଷ୍ଠିତ ହେବ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ