ସମ୍ବଲପୁର: ମେଗା ପ୍ରୋଜେକ୍ଟ ପାଇପ ଲାଇନ ଡ୍ରେନ ହେଲା କାଳ। ଏହି ଡ୍ରେନ୍ରେ ପଡ଼ି ଗଲା ଯୁବକଙ୍କ ଜୀବନ । ମୃତ ଯୁବକ ଜଣକ ହେଲେ ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ବାରଡୁଙ୍ଗରି ଗ୍ରାମର ବନ ମୁଣ୍ଡା । ସୂଚନାନୁସାରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ତବଡାବାହାଲ-ବାରଡୁଙ୍ଗରି ଗ୍ରାମ ମେଗା ପ୍ରଜେକ୍ଟ ପାଇପଲାଇନ ପାଇଁ ଡ୍ରେନ ଖୋଲାଯାଇଥିଲା ।
ଆଜି (ମଙ୍ଗଳବାର) ସକାଳେ ବନ ମୁଣ୍ଡା ଏହି ପ୍ରୋଜେକ୍ଟ ପାଇପ୍ ଲାଇନ୍ ଦେଇ ଯାଉଥିବା ବେଳେ ଦୁର୍ଭାଗ୍ୟ ବସତଃ ଡ୍ରେନ୍ ଭିତରକୁ ଖସି ପଡ଼ିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଶାସନ ଥାନା ଅନ୍ତର୍ଗତ ବାରଡୁଙ୍ଗରି ଗ୍ରାମର ବନ ମୁଣ୍ଡା ଆଜି ଭୋର ସକାଳୁ ଘରୁ ବାହାରି ଥିଲେ । ତେବେ ସେ ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁ ସମୟ ଧରି ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ତେବେ ପରବର୍ତ୍ତୀ ସମୟରେ ମେଗା ପ୍ରଜେକ୍ଟ ପାଇପ ଲାଇନ ପାଇଁ ଖୋଲା ଯାଇଥିବା ଡ୍ରେନରେ ପଡି ଯାଇଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ଶାସନ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିକଟକୁ ନେଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ।
ତେବେ ଏହି ଘଟଣାକୁ ନେଇ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି । ଏହାସହ ଘଟଣା ସମ୍ପର୍କରେ ଶାସନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଗୋଟେ ପଟେ ପାଇପ ଲାଇନ କାମ ଚାଲୁଥିବା ବେଳେ ଡ୍ରେନ ଗୁଡ଼ିକୁ ମୁକୁଳା ନରଖିବା ପାଇଁ ବାରମ୍ବାର ଚେତାବନୀ ଦିଆଯାଉଛି । ହେଲେ ଏଟି ଚେତାବନୀକୁ ବେଖାତିର କରୁଛନ୍ତି ଦାୟିତ୍ୱ ନେଇଥିବା ଠିକାଦାର ଏବଂ ଶ୍ରମିକ । ଫଳରେ ଏଭଳି ମୁକୁଳା ହୋଇ ପଡ଼ିଥିବା ଡ୍ରେନରେ ପଡ଼ି କେତେବେଳେ ପଶୁଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷର । ଯାହାକୁ ନେଇ ଅସନ୍ତାେଷ ପ୍ରକାଶ ପାଉଛି । ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଇଟିଭି ଭାରତ, ସମ୍ବଲପୁର