ସମ୍ବଲପୁର: ଅଗ୍ନିକୁ ସାକ୍ଷୀ ରଖି ପରିବାର ସହମତିରେ ସାତ ଜନ୍ମର ସାଥି ହୋଇଥିଲେ । ହେଲେ 11 ବର୍ଷର ସମ୍ପର୍କ ଓ 3 ଛୋଟ ପିଲାଙ୍କୁ ପର କରିଦେଇ ଆଉ ଜଣଙ୍କ ହାତ ଧରିଲା ପ୍ରତାରକ ସ୍ବାମୀ । ସମ୍ବଲପୁର ଅଇଁଠାପାଲି ଥାନାରେ ସ୍ବାମୀଙ୍କ ଦ୍ବିତୀୟ ବିବାହ ନେଇ ଅଭିଯୋଗ ଆଣିଛନ୍ତି ପୀଡିତା ପ୍ରଥମ ସ୍ତ୍ରୀ । ପ୍ରଥମ ସ୍ତ୍ରୀକୁ ଛାଡପତ୍ର ନଦେଇ ଲୁଚିଛପି ଦ୍ବିତୀୟ ବିବାହ କରିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ ।
ଏହାମଧ୍ୟ ପଢନ୍ତୁ.. ମେଡିକାଲ ବେଡରେ ସ୍ବାମୀ, ପ୍ରେମିକକୁ ଦ୍ବିତୀୟ ବିବାହ କଲା ପତ୍ନୀ
ସୂଚନା ଅନୁଯାୟୀ, 11 ବର୍ଷ ପୂର୍ବେ ସମ୍ବଲପୁରର ପରଧିଆପାଲି ଗ୍ରାମରେ ରହୁଥିବା ଗୋପାଳ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ବିଶାଳଖିଣ୍ଡା ଗ୍ରାମର ନିବେଦିତା ସାହୁ ବିବାହ କରିଥିଲେ l ଗୋପାଳ ଓ ନିବେଦିତାଙ୍କ 9 ବର୍ଷ, 5 ବର୍ଷ ଓ 2 ବର୍ଷର ୩ଟି ସନ୍ତାନ ବି ଅଛନ୍ତି l ତେବେ କିଛି ମାସ ହେବ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ସ୍ୱାମୀ ବିଭିନ୍ନ ସମୟରେ ମାରପିଟ କରିବା ସହ ଗାଳିଗୁଳଜ କରିଥିବା କହିଛନ୍ତି ପୀଡିତା ପତ୍ନୀ । ହେଲେ ଗତ ୨୪ ତାରିଖ ଦିନ ପ୍ରଥମ ସ୍ତ୍ରୀଙ୍କ ଅଜାଣତରେ ଗୋପାଳ ଲୁଚିଛପି ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ କରିଥିବା ଜାଣିବାକୁ ପାଇଥିଲେ ନିବେଦିତା ।
ଏହାମଧ୍ୟ ପଢନ୍ତୁ.. ପ୍ରଥମ ସ୍ତ୍ରୀ ଘରକୁ ନଫେରିବାରୁ ସ୍ବାମୀର ଦ୍ବିତୀୟ ବିବାହ: ଛତିଶଗଡରୁ ଧାଇଁ ଆସିଲେ ପତ୍ନୀ
ଏହାମଧ୍ୟ ପଢନ୍ତୁ.. ଦ୍ବିତୀୟ ବିବାହ ପାଇଁ ସ୍ତ୍ରୀକୁ ବିଦ୍ୟୁତ ଆଘାତ ଦେଇ ହତ୍ୟା ଉଦ୍ୟମ, ସ୍ବାମୀ ଗିରଫ
ଗାଁ ଲୋକଙ୍କ ଠାରୁ ନିବେଦିତା ନିଜ ସ୍ୱାମୀଙ୍କ ଦ୍ଵିତୀୟ ବିବାହ କଥା ଜାଣିବାକୁ ପାଇବା ପରେ ନିଜ କୁନି କୁନି ଛୁଆଙ୍କୁ ଧରି ନ୍ୟାୟ ପାଇଁ ଅଇଁଠାପାଲି ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ନ୍ୟାୟ ଦେବାକୁ ଗୁହାରି କରି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ l କ୍ଷତିପୂରଣ ଦାବି କରିବା ସହ ନିଜ ଛୁଆଙ୍କ ଭରଣପୋଷଣ ପାଇଁ ପ୍ରତି ମାସରେ ଟଙ୍କା ଓ ସେମାନେ ରହୁଥିବା ଘରଟି ଛୁଆମାନଙ୍କ ନାଁରେ କରିବାକୁ ଦାବି କରିଛନ୍ତି ପୀଡିତା ସ୍ତ୍ରୀ ।
ଅନ୍ୟପଟେ ନିବେଦିତାଙ୍କ ଅଭିଯୋଗ ଆଧାରରେ ଅଇଁଠାପାଲି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଦ୍ଵିତୀୟ ବିବାହ କରିଥିବା ସ୍ୱାମୀକୁ ଥାନାରେ ପ୍ରଥମେ ଅଟକ ରଖି ପଚରାଉଚରା କରିବା ପରେ ତାକୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି l
ଇଟିଭି ଭାରତ, ସମ୍ବଲପୁର