ସମ୍ବଲପୁର: ଜିଲ୍ଲାରେ ମାତିଛନ୍ତି ଲୁଟେରା । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ମାଝିପାଲି ପୋଲିସ ଆଉଟ ପୋଷ୍ଟ ନିକଟରେ ଥିବା ଏକ ଏଟିଏମକୁ ଲୁଟି ନେଇଛନ୍ତି କିଛି ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜଣା ପଡିଛି । ଚୋରୀ ହୋଇଥିବା ଏଟିଏମରେ କେତେ ଟଙ୍କା ରହିଥିଲା ସେନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
ସୂଚନା ଅନୁସାରେ, ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ମାଝିପାଲି ପୋଲିସ ଆଉଟ ପୋଷ୍ଟ ନିକଟରେ ଥିବା ଏକ ଏଟିଏମରେ ଭଙ୍ଗାରୁଜା ହେବାସହ ଏଟିଏମ ମେସିନ ନଥିବା ଦେଖି ବ୍ୟାଙ୍କକୁ ଖବର ଦେଇଥିଲେ ସ୍ଥାନିୟ ଲୋକେ । ଏହାପରେ ସୂଚନା ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ସମ୍ବଲପୁର ଏସପି କହିଛନ୍ତି, " ଭୋର ତିନିଟାରୁ ୪ଟା ମଧ୍ୟରେ ଏଟିଏମ ଚୋରୀ ହୋଇଛି । ଏହି ଅପରାଧୀମାନେ ସ୍ଥାନୀୟ ଅପରାଧୀ ନୁହନ୍ତି, ଏମାନେ ବାହାର ରାଜ୍ୟର ଅପରାଧୀ । ଏମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଗୁଡିକ ଯାଞ୍ଚ କରୁଛନ୍ତି । ସମାନ ଢଙ୍ଗରେ ଏଟିଏମ ଲୁଟ କରୁଥିବା ଲୁଟେରାମାନଙ୍କର ତାଲିକା ପୋଲିସ ନିକଟରେ ରହିଛି ଏବଂ ସେମାନଙ୍କ ଗତିବିଧି ଟ୍ରାକ କରାଯାଉଛି । ଖୁବ ଶୀଘ୍ର ସେମାନେ ଧରା ପଡିବେ ।"
ଇଟିଭି ଭାରତ, ସମ୍ବଲପୁର