ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଗତକାଲିଠୁ ଆରମ୍ଭ ହେଲା ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ଖୋଲିଛି 66ଟି ମଣ୍ଡି । ତେବେ କଟନି ଛଟନୀକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକଟ କରିଥିବା ବେଳେ ବହୁ ଚାଷୀ ଏପର୍ଯ୍ୟନ୍ତ ଟୋକନ ପାଇ ନାହାନ୍ତି । ଫଳରେ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏନେଇ ପ୍ରଥମ ଦିନରେ ଚାଷୀ, ମିଲର ଏବଂ ପ୍ରଶାସନର ବୈଠକ ଆରଏମସି ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ 25 ତାରିଖରେ ମଣ୍ଡି ଖୋଲିବା ନିଷ୍ପତ୍ତି ହୋଇଥିବା ବେଳେ ଚାଷୀମାନେ ଆନ୍ଦୋଳନ କରିବାରୁ ଜିଲ୍ଲା ପ୍ରଶାସନ ଏହାକୁ 22 ତାରିଖ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ଡିଏଲପିସି ବୈଠକରେ ଯାହା ନିର୍ଣ୍ଣୟ କରାଯାଇଥିଲା ତାହା କିଛି ହୋଇପାରିଲା ନାହିଁ ବୋଲି ଚାଷୀ କହିଛନ୍ତି।
ଟ୍ରାନ୍ସପୋର୍ଟ ବ୍ୟବସ୍ଥା ସହ କଟନୀ ଛଟନୀକୁ ନେଇ ମଧ୍ୟ ଚାଷୀ ଅସନ୍ତୋଷ ପ୍ରକଟ କରିଛନ୍ତି । ସେପଟେ ଅଗଷ୍ଟ ମାସରୁ ଚାଷୀ ରେଜିଷ୍ଟ୍ରେସନ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସବୁ ଚାଷୀଙ୍କୁ ଟୋକନ ଉପଲବ୍ଧ ହୋଇ ପାରିନାହିଁ ବୋଲି ଅଭିଯୋଗ ମଧ୍ୟ ହୋଇଛି। ଏନେଇ ଚାଷୀ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି । ସେପଟେ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ ଚାଷୀମାନଙ୍କର ଯେଉଁ ଅସୁବିଧା ଗତବର୍ଷ ହୋଇଥିଲା ତାହା ଚଳିତବର୍ଷ ହେବ ନାହିଁ ।
ବିଭିନ୍ନ ମିଲ ଗୁଡିକୁ ଯାଞ୍ଚ ପାଇଁ ସ୍କ୍ବାର୍ଡ ଗଠନ କରାଯାଇଛି ବୋଲି ଯୋଗାଣ ବିଭାଗ ସୂଚନା ଦେଇଛି । ୪ଟି ସ୍କ୍ବାର୍ଡ ବିଭିନ୍ନ ମିଲକୁ ଯାଇ ଷ୍ଟକ ଯାଞ୍ଚ କରୁଛନ୍ତି ବୋଲି ଜିଲ୍ଲା ଯୋଗାଣ ବିଭାଗ କହିଛି । ବାହାର ଜିଲ୍ଲାର ଧାନ ଯେପରି ସମ୍ବଲପୁରର କୌଣସି ମିଲକୁ ନଆସିବ ସେନେଇ ବିଭାଗ ଦୃଷ୍ଟି ଦେବ ବୋଲି ମଧ୍ୟ କୁହାଯାଇଛି । ମିଲ ମାଲିକମାନେ ମଧ୍ୟ ଭଲ ଧାନ ଆଣିଲେ କୌଣସି ପ୍ରକାର କଟନୀ ଛଟନୀ କରାଯିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।
ଅନ୍ୟପଟେ ଯଦି କଟନୀଛଟନୀ ହୁଏ ତାହେଲେ ଚାଷୀ ଆନ୍ଦୋଳନ କରିବେ ବୋଲି ଆଗରୁ ଚେତାଇ ଦେଇଛନ୍ତି । ଏଥିସହ ଅଗଷ୍ଟ ମାସରୁ ଚାଷୀମାନେ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିସାରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କୁ ଟୋକନ ମିଳିନାହିଁ ବୋଲି ଅଭିଯୋଗ କରିବାସହ ଶୀଘ୍ର ଟୋକନ ଦିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର