ସମ୍ବଲପୁର: ସମ୍ବଲପୁର ନନ୍ଦପଡାର ବହୁ ଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡ ଘଟଣାର ଅଧିକ ତଥ୍ୟ ସଂଗ୍ରହ ପାଇଁ ଆଜି(ଶନିବାର) ପୁଣି ଦେହାବଶେଷ ମିଳିଥିବା ସ୍ଥାନକୁ ଖୋଳାଯାଇଛି ।
ସମ୍ବଲପୁର ବଡସିଂହରି ଜଙ୍ଗଲର ଯେଉଁ ସ୍ଥାନରେ ପୂର୍ବରୁ ଦେହାବଶେଷ ମିଳିଥିଲା, ସେହି ସ୍ଥାନରେ ପୁଣି ମାଟି ଖୋଳାଯାଇଛି । ସମ୍ବଲପୁର ଏସଡିପିଓ, ଟାଉନ ଥାନା ଅଧିକାରୀ, ସମ୍ବଲପୁର ସାଇଣ୍ଟିଫିକ୍ ଟିମ୍, ବୁର୍ଲା ଏଫଏମଟି ଟିମ୍ ଓ ଆରଏଫଏସଏଲ୍ର ଟିମ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳାଯାଇଛି ।
ପୂର୍ବରୁ ଗତ ଜୁଲାଇ 26 ତାରିଖରେ ସମାନ ସ୍ଥାନରେ ମାଟି ଖୋଳାଯାଇ ଖପୁରୀର ଅଂଶବିଶେଷ ମିଳିଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବସନ୍ତ ପଣ୍ଡା ମଧ୍ୟ ଗିରଫ ହୋଇଥିଲା । ଏହାସହ ଘଟଣାରେ ଅଧିକ ପ୍ରମାଣ ପାଇଁ ମୃତ ଜୟଶ୍ରୀଙ୍କ ପରିବାର ଲୋକଙ୍କ ଡିଏନଏ ଟେଷ୍ଟ ପାଇଁ ନମୂନା ସଂଗ୍ରହ କରାଯାଇଛି ।
ତେବେ ଅଧିକ ଦେହାବଶେଷ ମିଳିବା ଆଶାରେ ଆଜି(ଶନିବାର) ପୁଣି ମାଟି ଖୋଳା ଯାଇଛି । ଅଧିକ ତଥ୍ୟ ପ୍ରମାଣ ପାଇବା ଆଶାରେ ମାଟି ଖୋଳା ଚାଲିଛି ବୋଲି ସମ୍ବଲପୁର ଏସପି କହିଛନ୍ତି । ତେବେ ଯେତିକି ତଥ୍ୟ ବିଷୟରେ ପରିପ୍ରକାଶ କରିହେବ ତାହା ହିଁ କୁହାଯିବ ବୋଲି ଏସପି କହିଛନ୍ତି ।
ଏଠାରେ ସୂଚନା ଯୋଗ୍ୟ, 2011 ମସିହାରୁ ଜୟଶ୍ରୀ ମିଶ୍ର ନିଖୋଜ ଥିଲେ । ଏହି ଘଟଣାକୁ ପ୍ରଥମେ ପୋଲିସ ଗୁରୁତ୍ବର ସହ ନେଇନଥିଲା । ତେବେ ଜୟଶ୍ରୀଙ୍କ ଝିଅ ଏତେବର୍ଷ ପରେ ପୋଲିସ ଡିଜିଙ୍କୁ ଭେଟିବା ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ