ସମ୍ବଲପୁର: ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ସହ ସରିଛି ଦୁର୍ଗାପୂଜା । ଦୁର୍ଗା ପୂଜାରେ ଲୋକେ ପୂଜାର ମଜା ନେବା ସହ ଅନେକ ଛୋଟ ବଡ଼ ବ୍ୟବସାୟୀ ଦୁର୍ଗା ପୂଜାରେ ଭଲ ବ୍ୟବସାୟ କରନ୍ତି । ଏହି ଦୁର୍ଗା ପୂଜା ସମୟରେ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଦୁଲଦୁଲି ବାଜା କଳାକାର ମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରନ୍ତି l କାରଣ ଦୁର୍ଗା ପୂଜା ସମୟରେ ପୀଠ ହେଉ କି ମଣ୍ଡପ ପାରମ୍ପରିକ ଲୋକବାଦ୍ୟର ଆବଶ୍ୟକତା ନିହାତି ଭାବେ ପଡିଥାଏ l ଆସନ୍ତୁ ଜାଣିବା ଦୁର୍ଗା ପୂଜା ସହିତ ଏହି ପାରମ୍ପରିକ ଲୋକବାଦ୍ୟର କଣ ରହିଛି ସମ୍ପର୍କ l
ଦୁର୍ଗା ପୂଜା ସମୟରେ ପ୍ରତ୍ୟେକ ଦେବୀ ପୀଠ ହେଉ ବା ମଣ୍ଡପ ସମ୍ମୁଖରେ ବାଜିଥାଏ ପଶ୍ଚିମ ଓଡ଼ିଶାରର ପାରମ୍ପରିକ ଲୋକବାଦ୍ୟ ଦୁଲଦୁଲି ଯାହାକୁ ପଞ୍ଚବାଦ୍ୟ ମଧ୍ୟ କୁହାଯାଏ l ଗଣ୍ଡା ସମ୍ପ୍ରଦାୟର ଲୋକେ ମୁଖ୍ୟତଃ ଏହି ବାଦ୍ୟ ବଜାଉ ଥିବାରୁ ପୂର୍ବରୁ ଏହାକୁ ଗଣ୍ଡା ବାଜା ବୋଲି ମଧ୍ୟ କୁହା ଯାଉଥିଲା l ଏଥିରେ ଢୋଲ, ନିଶାନ, ତାସା, ଝଞ୍ଜ ଓ ମହୁରୀ ବାଦ୍ୟ ବାଜିଥାଏ l ଏହି ବାଦ୍ୟ ବଜେଇବା ସମୟରେ ଏକ ସ୍ବତନ୍ତ୍ର ପୋଷାକ ପିନ୍ଧୁଥିଲେ କଳାକାର ମାନେ l ବର୍ତ୍ତମାନ ଏହି ବାଦ୍ୟରେ ମହୁରୀ ବହୁତ କମ ଦେଖିବାକୁ ମିଳୁଛି l ସେ ଯାହା ହେଉନା କାହିଁକି ନବରାତ୍ର ଆରମ୍ଭ ଠାରୁ ଭସାଣି ପର୍ଯ୍ୟନ୍ତ ଏହି ବାଦ୍ୟ ଦେଖୁବାକୁ ମିଳିଥାଏ l ଆସନ୍ତୁ ଜାଣିବା ଦେବୀ ପୂଜା ସହ ଏହାର କି ସମ୍ପର୍କ ରହିଛି l ସ୍ଥାନୀୟ ଲୋକଙ୍କ ମତରେ ଏହି ବାଦ୍ୟ ହେଉଛି ଆବାହନୀ l ମା’ ସମଲେଶ୍ବରୀଙ୍କୁ ଆବାହନ କରିବାକୁ ଏହି ବାଦ୍ୟ ବଜାଯାଏ । ଆବାହନ କରିବାକୁ ଭିନ୍ନ ଭିନ୍ନ ତାଳ ରହିଛି l ଦେବୀ ଙ୍କୁ ଆବାହନ କରିବାକୁ "ଷୋହଳ ଭରନି" ତାଳ (ସୁଲହ ଭର୍ଣ୍ଣି ପାର ) ରହିଛି । ଏହି କଳାକାର ମାନେ ଏହାକୁ ନିଜ ନିଜ ପୂର୍ବ ପୁରୁଷଙ୍କ ଠାରୁ ଶିଖି ବଞ୍ଚାଇ ରଖିଛନ୍ତି l ମା’ ସମଲେଶ୍ବରୀଙ୍କ ମନ୍ଦିରରେ ମା’ଙ୍କ ଆବାହନ ପାଇଁ ଚୌହାନ ବଂଶୀୟ ରାଜା ମାନେ ଏହି କଳାକାର ମାନଙ୍କୁ ଆଣି ସମଲେଶ୍ବରୀ ମନ୍ଦିର ଆଖ ପାଖ ଅଞ୍ଚଳରେ ରଖିଥିଲେ । ସେହିଦିନ ଠାରୁ ଦେବୀ ପୂଜା ହେଲେ ଏହି ବାଦ୍ୟର ଆବଶ୍ୟକତା ପଡିଥାଏ l ଗାଁରୁ ସହର ଯେଉଁଠି ବି ଦୁର୍ଗା ପୂଜା ହେଉକି ବଏଲ ଯାତ୍ରା ହେଲେ ଏହି ଦୁଲଦୁଲି ବାଜା ବାଜିଥାଏ l
ଅଧିକ ପଢନ୍ତୁ- VijayaDashami: ସମ୍ବଲପୁରରେ ବଙ୍ଗୀୟ ମହିଳାଙ୍କ ସିନ୍ଦୁର ଖେଳ
ଏହା ସହ ପରମ୍ପରା ମୁତାବକ ପଶ୍ଚିମ ଓଡିଶାର ବିବାହ, ବ୍ରତ କି କୌଣସି ଶୁଭକାର୍ଯ୍ୟ ହେଲେ ଏହି ବାଜା ବାଜିଥାଏ l ଦଶହରା ସମୟରେ ଏହାର ନିତାନ୍ତ ଆବଶ୍ୟକ ପଡିଥାଏ l ଆଉ ଏହି ସମୟରେ ଏହି ଦୁଲଦୁଲି କଳାକାର ମାନେ ଭଲ ଦୁଇ ପଇସା ରୋଜଗାର କରନ୍ତି l ସେମାନଙ୍କ ଅନୁସାରେ ମା’ ଦୁର୍ଗାଙ୍କ ପୂଜା ସେମାନଙ୍କ ପାଇଁ ରୋଜଗାରର ଏକ ବଡ଼ ଅବସର ମିଳିଥାଏ l ସେଥିପାଇଁ ପିଢୀ ପରେ ପିଢୀ ଏହି ଲୋକ କଳାକାର ମାନେ ଏହି କଳାକୁ ବଞ୍ଚାଇ ରଖିଛନ୍ତି l
ଇଟିଭି ଭାରତ, ସମ୍ବଲପୁର