ସମ୍ବଲପୁର : ସମ୍ବଲପୁର ସକ୍ରିୟ ବ୍ରାଉନ ସୁଗାର କାରବାର । ଆଜି ସମ୍ବଲପୁର ଟାଉନ ଥାନା ପୋଲିସ ବ୍ରାଉନସୁଗାର ଓ ବେଆଇନ କଫସିରପ କାରବାରରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲା ପରେ ସମ୍ବଲପୁରରେ ଧଳା ଜହର କାରବାର ସକ୍ରିୟ ଥିବା ସ୍ପଷ୍ଟ ହୋଇଯାଇଛି। ପୋଲିସ ଏକ ସୂତ୍ରରୁ ଖବରପାଇବା ପରେ ଫାଟକ ଅଞ୍ଚଳରେ ଚଢ଼ଉ କରିଥିଲା ।
ଚଢ଼ାଉ କରି ୭ଜଣ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସେମାନଙ୍କ ଠାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଥିଲା । ଏହି ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 13 ହଜାରରୁ ଊର୍ଦ୍ଧ୍ବ ଟଙ୍କା ବୋଲି ସୂଚନା ଦେଇଛି ପୋଲିସ । ଏହାସହ ଅଭିଯୁକ୍ତଙ୍କ ଠାରୁ ୧୪୦ଟି ବେଆଇନ କଫସିରପ ବୋତଲ ଜବତ କରିଛି । ଯାହାର ମୂଲ୍ୟ ୨୨ ହଜାର ଟଙ୍କା ।
ଏହାସହ ୨ଟି ବାଇକ ଓ ୬ଟି ମୋବାଇଲ ଜବତ ହୋଇଛି । ଅଭିଯୁକ୍ତ ମାନେ କୋଲକାତାରୁ ଏହି ସବୁ ମାଦକ ଦ୍ରବ୍ୟ ଆଣି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବିକ୍ରି କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ୭ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଅଟନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ସୁନାପାଲି ଅଞ୍ଚଳର ମହମ୍ମଦ ସାନୁ, ମହମ୍ମଦ ସେହେଯାଦ, ଶେଖ ବାବର, ବରଗଡ଼ ଜିଲ୍ଲା ବାଞ୍ଜିପଡାର ବିଜୟ ନାଗ, ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳର ମହମ୍ମଦ ସଫିକ, ସମ୍ବଲପୁର ଦଳେଇପଡାର ଅମୀର ଖାଁ ।
ଇଟିଭି ଭାରତ, ସମ୍ବଲପୁର