ସମ୍ବଲପୁର: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଡ୍ରେନେଜ ବ୍ୟବସ୍ଥା । ବହୁ ଦିନ ଧରି ନାଳ ନର୍ଦ୍ଦମାରେ ଜମି ରହିଛି ଅଳିଆ ଆବର୍ଜନା । ଆଉ ସେହି ନାଳ ଦେଇ ଯାଇଛି ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ ପାଇପ । ବିଭିନ୍ନ ସ୍ଥାନରେ ପାଣି ପାଇପ ଫାଟି ନାଳର ପ୍ରଦୂଷିତ ପାଣି ପଶୁଥିବା ଅଭିଯୋଗ ହୋଇଛି ।
ଏଭିଳି ପରିସ୍ଥିତିରେ ଆଗକୁ ଶୀତଳଷଷ୍ଠୀ ଯାତ୍ରା ଆସୁଥିବାରୁ ସ୍ଥାନୀୟ ଲୋକ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି । ପ୍ରତ୍ୟେକ ବର୍ଷ ଶୀତଳଷଷ୍ଠୀ ପୂର୍ବରୁ ନାଳ ସଫା ହେଉଥିବା ବେଳେ ଏଥର ପୂର୍ବ ଭଳି ନାଳ ସଫା ହୋଇନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।
ଏପଟେ ଶୀତଳଷଷ୍ଠୀ ପାଇଁ ଅଧିକ ଗୁରୁତ୍ୱ ବହନ କରୁଥିବା ସ୍ଥାନ ଓ ଛକ ଗୁଡିକର ଡ୍ରେନ ସଫା କାର୍ଯ୍ୟ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଛି । ଏହା ସହ ଦରକାର ପଡୁଥିବା ସ୍ଥାନରେ ଅସ୍ଥାୟୀ ଡଷ୍ଟବିନର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଏନଫୋର୍ସମେଣ୍ଟ ଅଫିସର । ଅନ୍ୟପଟେ ଯେଉଁ ସ୍ଥାନରେ ଡ୍ରେନ ମଧ୍ୟ ଦେଇ ପାନୀୟ ଜଳଯୋଗାଣ ପାଇପ ଯାଇଛି ତାକୁ ଉଠାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରାଯାଇଥିବା ସେ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ