ସମ୍ବଲପୁର: ପ୍ରତି ୩ ମାସରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟାରୀ କମିଟିର(Vigilance Monitoring Committee) ବୈଠକ ହେବାର ନିୟମ ରହିଥିଲେ ମଧ୍ୟ ସମ୍ବଲପୁରରେ ଦୁଇ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକ ୨ ବର୍ଷ ପରେ ଅନୁଷ୍ଠିତ ହୋଇଛି । ତେବେ କୋଭିଡ କଟକଣା ଯୋଗୁଁ ବୈଠକ ହୋଇପାରୁ ନଥିଲା ବୋଲି ସ୍ପଷ୍ଟୀକରଣ ଦିଆଯାଇଛି ।
କମିଟିର ବୈଠକ ନହେଉଥିବାରୁ ଅନୁସୂଚିତ ଜାତି ଓ ଜନଜାତି(ST/SC) ଲୋକଙ୍କ ବିରୁଦ୍ଧରେ ହେଉଥିବା ଜାତିଆଣ ମାମଲାର ତଦନ୍ତ ସବୁ ଦୀର୍ଘ ଦିନ ଧରି ଫୈସଲା ନହୋଇ ପଡି ରହିଛି । ଫଳରେ ଜିଲ୍ଲାରେ ପୀଡିତ ଦଳିତ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ।
ବିଭିନ୍ନ ସମୟରେ ST/DC ଲୋକଙ୍କ ବିରୁଦ୍ଧରେ ହେଉଥିବା ଜାତିଆଣ ମାମଲାର ତଦନ୍ତ ଠିକଭାବେ ଚାଲିଛି ନା ନାହିଁ ତାହା ଉପରେ ନଜର ରଖିବାକୁ ଜିଲ୍ଲାରେ 3 ମାସରେ ଥରେ ଭିଜିଲାନ୍ସ ମନିଟାରୀ କମିଟିର ବୈଠକ ହେବା କଥା । ଏହି କମିଟି ଏହିଭଳି ମାମଲା ଗୁଡ଼ିକର ତଦନ୍ତ ପ୍ରକ୍ରିୟା ଠିକ ଭାବେ ଚାଲିଛି ନା ନାହିଁ ତାହା ଉପରେ ନଜର ରଖିବା ସହ ତଦନ୍ତ ପ୍ରକ୍ରିୟା ତ୍ବରାନ୍ନିତ ଓ ପୀଡିତକୁ ନ୍ୟାୟ ପାଇଁ ବ୍ୟବସ୍ଥା କରିଥାଏ ।
ଏଥିସହ ସରକାରୀ ଯୋଜନାରେ ଆର୍ଥିକ ସହାୟତା ଯୋଗାଇବାର ଦାୟିତ୍ୱ ମଧ୍ୟ ତୁଳାଇଥାଏ। ତେବେ 2 ବର୍ଷ ହେବ ଏହି ବୈଠକ ସମ୍ବଲପୁରରେ ହୋଇନଥିବାରୁ ବହୁ ମାମଲା ଫୈସଲା ନହୋଇ ପଡିରହିଥିବା ଜଣାପଡିଛି । ମୁଖ୍ୟତଃ ଏହିସବୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ପୋଲିସ ବିଭାଗ ଓ ରାଜସ୍ୱ ବିଭାଗ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ଏମିତି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ।
ତେବେ ଆଜି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଏହିସବୁ ମାମଲା ଗୁଡିକୁ ଗୋଟିଗୋଟି କରି ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦଶ ଦିଆଯାଇଛି । ଆଜିର ଏହି ବୈଠକରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ସହ କମିଟିର ଅନ୍ୟ ସଦସ୍ୟ ସାମିଲ ହୋଇଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ