ସମ୍ବଲପୁର: ଓଡିଶାରେ ଜୋର ଧରିଛି ବିଜେପିର 'ମିଶନ 120 ପ୍ଲସ୍' । ଯେଉଁଥିପାଇଁ ଘନ ଘନ ରାଜ୍ୟରେ ଛୁଟୁଛି ବିଜେପିର ହେଭିୱେଟ୍ ନେତାଙ୍କ ସୁଅ । କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗୀର ଆସିଥିଲେ । ଏହାର କେଇଟା ଦିନ ନ ବିତୁଣୁ ପୁରୀରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ ଆଦିବାସୀ ସମାବେଶରେ ଯୋଗ ଦେଇଥିଲେ ଅଧ୍ୟକ୍ଷ ଅମିତ ଶାହା । ତେବେ ପୁଣି ସେ ଫେବୃଆରୀ 15ରେ ଓଡିଶା ଗସ୍ତରେ ଆସୁଛନ୍ତି ।
ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀଙ୍କ କହିବାନୁସାରେ, 15 ତାରିଖରେ ଅମିତ ଶାହା ସମ୍ବଲପୁର ଗସ୍ତରେ ଆସିବେ । ଏଠାରେ ସେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ଦର୍ଶନ କରିବେ । ସେପଟେ ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ କର୍ମୀଙ୍କୁ ପରାମର୍ଶ ଦିଆଯାଇଛି ।
ପୂର୍ବରୁ ଜାନୁଆରୀ ଶେଷ ସମୟରେ ଶାହା ସମ୍ବଲପୁର ଆସିବାର ଥିଲା । କିନ୍ତୁ ଅସୁସ୍ଥତା ଯୋଗୁଁ ସେତେବେଳେ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ତେବେ ଏହି ଗସ୍ତରେ ଶାହା ସମ୍ବଲପୁର, ବରଗଡ, ସୁନ୍ଦରଗଡ, ବଲାଙ୍ଗୀର ଓ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ତଳୀ ବୁଥର ସଭାପତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ ବୋଲି ସୁରେଶ ପୂଜାରୀ କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ