ସମ୍ବଲପୁର: କୋରୋନା ଯୋଗୁଁ ଦୀର୍ଘ 9 ମାସ ଧରି ବିଭିନ୍ନ କ୍ଷେତ୍ର ସ୍ଥାଣୁ ପାଲଟି ଯାଇଛି । ଶହ ଶହ ଲୋକ ଜୀବିକା ହରାଇଛନ୍ତି । ତେବେ ବିଗତ କିଛି ଦିନରେ ଜୀବନଯାତ୍ରା ସ୍ବଭାବିକ ହେଉଥିବା ବେଳେ ଧୀରେ ଧୀରେ ବିଭିନ୍ନ ଅନୁଷ୍ଠାନ ଖୋଲିବା ଆରମ୍ଭ କଲାଣି । ମାତ୍ର ଦୀର୍ଘ 9 ମାସ ଧରି ହାତ ବାନ୍ଧି ବସିଛନ୍ତି ବାଜା କଳାକାର । ବିବାହ ବ୍ରତ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ବାଜା ବାରଣ ଥିବାରୁ ଏଥିରୁ ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତି ବେରୋଜଗାର ହୋଇଛନ୍ତି । ଏଣୁ ସେମାନଙ୍କୁ କଳାକାର ଭତ୍ତା ପ୍ରଦାନ କରିବାକୁ ପଶ୍ଚିମ ଓଡିଶା ବାଜା ମାଲିକ ସଙ୍ଘ ପକ୍ଷରୁ ବୁଧବାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଆରଡିସିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଭତ୍ତା ବା ଆର୍ଥିକ ସହାୟତା ଦାବିରେ ସମ୍ବଲପୁରରେ ବାଜା କଳାକାର ଗର୍ଜିଛନ୍ତି । ଏହାସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୋଭିଡ କଟକଣା ଭିତରେ ବାଜା କଳାକାରମାନଙ୍କୁ ପରିବେଷଣ ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି । ଏନେଇ ବାଜା ମାଲିକ ସଙ୍ଘ ପକ୍ଷରୁ ଜେଲ ଛକରୁ ଏକ ଶୋଭାଯାତ୍ରା ବାହାରି ଆରଡିସିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ସେମାନେ ଆରଡିସିଙ୍କୁ ଭେଟି ତାଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ 4 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ