ସମ୍ବଲପୁର: ପ୍ରତିଶୃତି ପ୍ରତାରଣା ପ୍ରହେଳିକାର 6 ଦଶନ୍ଧି । ବିସ୍ଥାପନ ପରେ ବିସ୍ଥାପନ । ପୁଣି ଆକାଶରୁ ସ୍ବର୍ଗ ତୋଳି ଆଣିଦେବାର ଛଳନା । ଆଉ ସରକାରଙ୍କ ଏହି ସାଂଘାତିକ ଛଳନା ଓ ପ୍ରତାରଣା କେବେ ଆଶା କରିନଥିଲେ ନିରୀହ ଗରିବ ଗୁରୁବା ଲୋକଗୁଡାକ । ତାଙ୍କର ଦୋଷ ଏହା ଯେ ଦେଶର ଗୌରବ ପାଇଁ ରାଜ୍ୟର ଦୃତ ବିକାଶ ପାଇଁ ଭିଟାମାଟି ତ୍ୟାଗ କରିଛନ୍ତି । ଆଉ ଏହି ତ୍ୟାଗ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ସହ ଯେଉଁ ଛଳନା କରିଛନ୍ତି ତାହା ଆଜିର ତୃତୀୟ ପୀଢି ମଧ୍ୟ ଶୁଣି ଦେଖି ଗୁମୁରି ଗୁମୁରି କାନ୍ଦୁଛନ୍ତି ସିନା ହେଲେ ତାଙ୍କ କାନ୍ଦ କୌଣସି ନିର୍ବାଚିତ ସରକାର ପାଖରେ ପହଞ୍ଚୁନାହିଁ । ନ୍ୟାୟ ପାଇବାକୁ ଆଉ କେତେ ଦିନ ଅପେକ୍ଷା କରିବେ? ସେମାନଙ୍କୁ ଥଇଥାନ କେବେ କରିବେ ସରକାର ? କେବେ ସ୍ଥାପିତ ହେବେ ବିସ୍ଥାପିତ ? କାହିଁକି ସରକାର କଲେ ଛଳନା ? ବିକାଶ ପାଇଁ ଭିଟାମାଟି ଛାଡିବା କଣ ତାଙ୍କର ଭୁଲ ଥିଲା? ଆଜି ରକ୍ତର ସମ୍ପର୍କ ଯେଉଁ ଛିନଛତ୍ର ହୋଇଯାଇଛି ସେଥିପାଇଁ ଦାୟୀ କିଏ? ଏମିତି ଅନେକ ଯନ୍ତ୍ରଣାଦାୟକ ବେଦନାଭରା ପ୍ରଶ୍ନ ସରକାରଙ୍କୁ ପଚାରୁଛନ୍ତି ହୀରାକୁଦ ନଦୀବନ୍ଧ ବିସ୍ଥାପିତ ।
ସେଦିନ ଥିଲା 1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଲା ଭିତ୍ତି ପ୍ରସ୍ତର । ଆଉ ଆଜିର ଦିନରେ ଅର୍ଥାତ 1957 ଜାନୁଆରି 13 ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହେଲା ହୀରାକୁଦ ନଦୀବନ୍ଧ। ଆଜି ହୀରାକୁଦ ନଦୀବନ୍ଧ 64 ବର୍ଷରେ ପଦାର୍ପଣ କରିଛି । କିନ୍ତୁ ଏହି ନଦୀବନ୍ଧ ନିର୍ମାଣ ପାଇଁ ଯେଉଁମାନଙ୍କ ଜୀବନ ମାଟିରେ ମାଟି ହୋଇଗଲା ପୀଢି ପରେ ପୀଢି ଲୋପ ପାଇଗଲା, ପେଟକୁ ଦାନ ମୁଠାଏ ଦେବାପାଇଁ ଛିନଛତ୍ର ହୋଇଗଲେ । ସେମାନଙ୍କୁ ଏ ସରକାର କେବେ ଉପଯୁକ୍ତ ଭାବେ ଖୋଜିଛି ନା ଥାଇଥାନ କରିଛି । କାରଣ ସେମାନେ ବିସ୍ଥାପିତ । ସେମାନଙ୍କ ପାପ ଏହାଯେ ସେମାନ ନିଜ ଭିଟାମାଟିକୁ ହୀରାକୁଦ ଗର୍ଭରେ ବୁଡିଯିବାକୁ ଦେଲେ । ଯାହାର ଫଳ ବୋଧହୁଏ ଭୋଗୁଛନ୍ତି ବିସ୍ଥାପିତ ।
କେତେ ଲୋକ ହୋଇଥିଲେ ପ୍ରଭାବିତ ?
ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତଥ୍ୟ ଅନୁସାରେ ନଦୀବନ୍ଧ ପାଇଁ ଅଞ୍ଚଳର ଦେଢ ଲକ୍ଷ ହେକ୍ଟର ଚାଷ ଜମି ବୁଡିଗଲା । 750 ବର୍ଗ କିଲୋମିଟର ବ୍ୟାପି ଜଳ ଭଣ୍ଡାର ଅଞ୍ଚଳରେ ଥିବା 369 ଗାଁ ପାଣିରେ ସମାଧି ହୋଇଗଲା । ଶହ ଶହ ମଠ ମନ୍ଦିର, ଧର୍ମାନୁଷ୍ଠାନ ସହ ଘର ଦ୍ବାର ସମ୍ପର୍କ ସମ୍ପତ୍ତି ବୁଡିଲା । ଏଥିପାଇଁ 26 ହଜାରୁ ଅଧିକ ପରିବାର ହେଲେ ପ୍ରଭାବିତ । 19 ହଜାରରୁ ଅଧିକ ପରିବାର ହେଲେ ଚିରକାଳ ପାଇଁ ବିସ୍ଥାପିତ । ହେଲେ ସରକାରଙ୍କ ଛଳନା ପାଇଁ ଏହି ବିସ୍ଥାପିତ ପରିବାର ନିଶ୍ଚିହ୍ନ ହୋଇଯିବା ସ୍ଥିତିରେ ଏବେ । ଭିଟାମାଟିରୁ ଜନ୍ମଜନ୍ମାନ୍ତର ଯାଏ ବିଚ୍ଛିନ୍ନ ହୋଇଯିବାର ଦୁଃଖ ଯନ୍ତ୍ରଣା କୋହରେ ପଶ୍ଚିମାଞ୍ଚଳ ଓ ପଡୋଶୀ ଛତିଶଗଡର କେଉଁ ଏକ ଅଚିହ୍ନା ଅଜଣା ଜାଗାରେ ଆଶ୍ରୟ ନେଇଛନ୍ତି ବିସ୍ଥାପିତଙ୍କ ପରବର୍ତ୍ତୀ ପୀଢି ।
କୁହାଯାଉଛି ହୀରାକୁଦ ନଦୀବନ୍ଧ ପାଇଁ ହୋଇଥିବା ବିସ୍ଥାପିତ ଦେଶର ସର୍ବବୃହତ ବିସ୍ଥାପନ । ହେଲେ କେନ୍ଦ୍ର ଓ ରାଜ୍ୟରେ ସରକାର ପରେ ସରକାର ଆସିଛି ଯାଇଛି । କିନ୍ତୁ ଦେଶର ସର୍ବବୃହତ ବିସ୍ଥାପିତଙ୍କ ଦୁର୍ଦ୍ଦଶା ବଢିବଢି ଚାଲିଛି । ଏହି ହୀରାକୁଦରେ ବର୍ତ୍ତମାନ କେତେ ବିଦେଶରୁ କେତେ ପକ୍ଷୀ ରାଜ୍ୟ ବାହାରୁ ଆସିଲେ, କେଉଁ ରଙ୍ଗର ପକ୍ଷୀ ଆସିଲେ, କେତେଦିନ ବସବାସ କଲେ ସରକାର ଗୋଟି ଗୋଟି କରି ଗଣତି କରିପାରୁଛନ୍ତି । ଅଥଚ ସେହି ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ଯେଉଁ ଅଭାବି ଅଶିକ୍ଷିତ ଅଳ୍ପଶିକ୍ଷିତ ପରିବାର ଜନ୍ମଭୂମି କର୍ମଭୂମି ସହ ନିଜ କୂଳଦେବତାଙ୍କୁ ନଦୀବନ୍ଧରେ ବୁଡିଯିବାର ଦାରୁଣ କଷ୍ଟକୁ ଦେଖିଲେ ଓ ରାଜ୍ୟର ବିକାଶ ପାଇଁ ସର୍ବସ୍ବ ତ୍ୟାଗକଲେ ତାଙ୍କୁ ଏହି କର୍ମବୀର ବିକାଶ ବୀର ସରକାର ଗଣତି କରିପାରୁ ନାହିଁନ୍ତି । ଏହାଠାରୁ ଅଧିକ ଆଉ କଣ ବିଡମ୍ବନା ହୋଇପାରେ ।
ଅଧିକାର ପାଇଁ ଦାବି ଆପତ୍ତି ସଂଘର୍ଷ ଆନ୍ଦୋଳନ ବିକ୍ଷୋଭ ପରେ ସରକାର ଶୁଣିଥଲେ ବିସ୍ଥାପିତଙ୍କ ଚିତ୍କାର । ପ୍ରଭାବିତ ହୋଇଥିବା 26 ହଜାର ପରିବାରକୁ ପ୍ରତି ପରିବାର ପିଛା 10 ଡେସିମିଲ ଲେଖାଏଁ ଘର ଡିହ ଦେବାକୁ 1993 ମସିହାର ହୋଇଥିଲା ନିର୍ଦ୍ଦେଶ । କିନ୍ତୁ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତିଙ୍କ କହିବା ଅନୁସାରେ ଏବେ ମାତ୍ର 2 ହଜାର ପରିବାରକୁ ମିଳିଛି ପଟ୍ଟା । 2 ହଜାରରୁ ଅଧିକ ପରିବାରକୁ ସରକାରୀ କ୍ୟାମ୍ପରେ କରାଯାଇଛି ଥଇଥାନ । ଆହୁରି ହଜାର ହଜାର ପରିବାର ଜୀବନ ଜୀବିକା ଅନ୍ବେଷଣରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ପଡୋଶୀ ଛତିଶଗଡ ସମେତ ଅନ୍ୟ ରାଜ୍ୟକୁ ଚାଲିଗଲେ । ଫଳରେ 1993 ମସିହାରେ ସରକାର ଘୋଷଣା କରିଥିବା ସହାୟତା ପାଇବାରୁ ସେମାନେ ବଞ୍ଚିତ ହେଲେ । ସରକାରୀ ତଥ୍ୟ ଅନୁସାରେ 26 ହଜାର ବିସ୍ଥାପିତ ପରିବାରରୁ ମୋଟ 6 ହଜାର ପରିବାରକୁ ମିଳିଛି ଜମି ବା ଘରବାରି ପଟ୍ଟା ।
ଆଉ ଉଦବେଗର କଥା ହେଲା ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ସଂପୂର୍ଣ୍ଣ କ୍ଷତିପୂରଣ ଦେଇନଥିବା କଥା ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ 11 ହଜାରୁ ଅଧିକ ପରିବାର କ୍ଷତିପୂରଣ ସହାୟତା ପାଇବାରୁ ବଞ୍ଚିତ ବୋଲି ସରକାର 1987 ମସିହାରେ ବିଧାନସଭାରେ କହିଛନ୍ତି । ଏହାସହ ଝାରସୁଗୁଡା ସମ୍ବଲପୁର ଜିଲାର ବିଭିନ୍ନ ତାପଜ ବିଦ୍ୟୁତ ପ୍ରକଳ୍ପ ଓ କୋଇଲା ଖଣି ପାଇଁ ସେମାନେ ଦ୍ବିତୀୟ ଥର ମଧ୍ୟ ବିସ୍ଥାପିତ ହୋଇଛନ୍ତି ।
ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଅଭିଯୋଗ । ସରକାର ବିସ୍ଥାପିତଙ୍କ ପ୍ରତି କେବେ ସମ୍ବେଦନଶୀଳ ହୋଇନାହାଁନ୍ତି । ସରକାରଙ୍କ ଅବହେଳା ପାଇଁ ଆଜି ସେମାନେ ଯାଯାବର ଜୀବନ ଜିଉଁଛନ୍ତି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିସ୍ଥାପିତଙ୍କ ପରବର୍ତ୍ତୀ ପୀଢିଙ୍କ ପାଖରେ ଏବେ କୌଣସି ଭୋଟର କାର୍ଡ, ଆଧାର କାର୍ଡ, ପାନକାର୍ଡ ଭଳି ସରକାରୀ ପରିଚୟ ପତ୍ର ନାହିଁ । ଫଳରେ ସେମାନେ ଏବେ ଅନ୍ତହୀନ ଦୁର୍ଦ୍ଦଶାରେ ।
ଆଶା ବଢାଇଥିଲା NHRCଙ୍କ ନିର୍ଦ୍ଦେଶ
ଦଶନ୍ଧୀ ଦଶନ୍ଧୀ ଧରି ଦୁର୍ଦ୍ଦଶା ଦୁର୍ଦ୍ଦିନରେ ଥିବା ବିସ୍ଥାପିତଙ୍କ ବାସ୍ତବ ସ୍ଥିତି ଆର୍ଥିକ ସାମାଜିକ ସମ୍ପର୍କରେ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ 2 ବର୍ଷ ତଳେ ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆମ କର୍ମବୀର ବିଶ୍ବସ୍ତରୀୟ ସରକାର ବିସ୍ତୃତ ରିପୋର୍ଟ ଦେବାକୁ ଆଜି ଯାଏ ସଫଳ ହୋଇପାରିଲେ ନାହିଁ ।
ସରକାରୀ କଳର ଚରମ ଅବହେଳା, ସରକାରଙ୍କ ଇଚ୍ଛାଶକ୍ତି ଅଭାବ ଓ ସ୍ଥାନୀୟ ରାଜନେତାଙ୍କ ଦୁର୍ବଳ ରାଜନୀତି ପାଇଁ ଆଜି ହଜାର ହଜାର ବିସ୍ଥାପିତ ପରିବାର ଅସହାୟ, ଅସୁରକ୍ଷିତ, ଅବହେଳିତ । ଆଜିର ପୀଢି ସିନା ସେମାନଙ୍କ ଭିଟାମାଟି ଚର୍ମ ଚକ୍ଷୁରେ ଦେଖିନାହାଁନ୍ତି । କିନ୍ତୁ ପୂର୍ବ ପୁରୁଷଙ୍କ ସଂଘର୍ଷ ଓ ପୀଢି ପରେ ପୀଢିର ଭିଟାମାଟିକୁ ସେମାନେ କେବେ ଭୁଲିବେ ନାହିଁ । ଅବହେଳା ଅପାରଗତାର ସମୟ ଶେଷ ହେଉ । ନ୍ୟାୟ ଅଧିକାର କ୍ଷତିପୂରଣ ପାଇବାକୁ ଥିବା ଅବଶିଷ୍ଟ ପରିବାରକୁ ତୁରନ୍ତ ସରକାର ଚିହ୍ନଟ କରି ସହାୟତା ପ୍ରଦାନ କରନ୍ତୁ । ନଚେତ କୁହୁଳୁଥିବା ଧୂଆଁ ଦିନେ ବିସ୍ପୋରକ ଭାବେ ଜଳିବାର ଆଶଙ୍କା ରହିଛି । ପ୍ରତାଡିତଙ୍କୁ ପରିବାର ମିଳୁ । କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳୁ । ଝରୁଥିବା ଆଖିର ଲୁହ ଶୁଖୁ । ବିସ୍ଥାପିତ ସ୍ଥାପିତ ହୁଅନ୍ତୁ । ହୀରାକୁଦ ଜନ୍ମ ତିଥିରେ ଏହା କାମନା ।