ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ସମେତ ପ୍ରାର୍ଥୀ ମାନେ ପ୍ରତିଶ୍ରୁତି ପାହାଡ ଭୋଟରଙ୍କ ସମ୍ମୁଖରେ ରଖି ମଇଦାନକୁ ଓହ୍ଲାଉଛନ୍ତି । ତେବେ ଜଣେ ସ୍ୱାଧୀନ ପ୍ରାର୍ଥୀ ଲୋକଙ୍କୁ ବିକାଶ ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ । କାଶୀପୁର ବ୍ଲକ 'ଖ 'ଜୋନର ସ୍ୱାଧୀନ ପ୍ରାର୍ଥୀ ରିଙ୍କି ନାୟକ ଲୋକଙ୍କୁ ବିକାଶ ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶୃତି ଦେଇଛନ୍ତି ।
ସୂଚନାଅନୁସାରେ, ଗ୍ରାମରେ ପ୍ରାୟ ୩୦ ପରିବାରରୁ ଅଧିକ ପରିବାର ବସବାସ କରୁଥିବା ବେଳେ ପହଞ୍ଚି ନାହିଁ ବିକାଶ। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ । ନିର୍ବାଚନ ସରିଲା ପରେ କୌଣସି ନେତା କିମ୍ବା ଲୋକ ପ୍ରତିନିଧିଙ୍କ ଦେଖା ମିଳୁନଥିବା ପ୍ରତିବାଦ କରି ଏହି ନିଷ୍ପତ୍ତି ନେଇଥିଲେ କଣ୍ଟାବାଞ୍ଜି ଗ୍ରାମବାସୀ । ହେଲେ ରିଙ୍କିଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ଗ୍ରାମରେ ପହଁଚି ଗ୍ରାମବାସୀଙ୍କ ସମସ୍ୟା ପଚାରିବୁଝିବା ସହ ସମାଧାନର ପ୍ରତିଶୃତି ଦେଇଛନ୍ତି ।
ପରେ ସେ ନିର୍ବାଚନରେ ବିଜୟୀ ହୁଅନ୍ତୁ କିମ୍ବା ପରାଜିତ ହୁଅନ୍ତୁ ଗ୍ରାମର ମୌଳିକ ସମସ୍ୟା ଦୂର କରିବାକୁ କହିବା ସହ ଷ୍ଟାମ୍ପ ପେପରରେ ଲିଖିତ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରତିଶୃତି ପରେ ଗ୍ରାମବାସୀ ମାନେ ଭୋଟ ବର୍ଜନରୁ ଓହରିଥିବା ମତବ୍ୟକ୍ତ କରିଛନ୍ତି । ଭୋଟ ବର୍ଜନ ନକରିବା ପାଇଁ କହିବା ସହ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବା ପାଇଁ କୋର୍ଟ ପେପରରେ ଲିଖିତ ପ୍ରତିଶୃତି ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ