ରାୟଗଡା: ଭାର ଉତ୍ତୋଳନ ପ୍ରତିଯୋଗୀତାରେ ସ୍ବର୍ଣ୍ଣପଦକ ପାଇ ରାୟଗଡା ଜିଲ୍ଲାର ନାଁ ରଖିଥିବା ମହିଳା ଯୁବ ଆଥେଲେଟ ସନ୍ତୋଷୀ ଭୀମାରାପୁ ଏବେ ଉପେକ୍ଷିତ । ନା ପାଖରେ ଅଛି ଅର୍ଥ ନା ମିଳୁଛି କିଛି ସରକାରୀ ସହାୟତା । ଅନ୍ୟ ଉପାୟ ନପାଇ ପେଟ ପୋଷିବାକୁ ଶେଷରେ ଝୁମ୍ପୁଡି ହୋଟେଲରେ ପକୋଡି ଛାଣିବାକୁ ବାଧ୍ୟ ହୋଇଛନ୍ତି ସେ ।
ରାୟଗଡା ସହର କୋରାପୁଟ ରୋଡ ଇଲେକ୍ଟ୍ରି କଲୋନୀରେ ରହନ୍ତି ସନ୍ତୋଷୀ ଭୀମାରାପୁ । ଅତି କମ ବୟସରୁ ଘର ନିକଟସ୍ଥ ଜିମକୁ ଯାଇ ଭାରଉତ୍ତୋଳନ ଅଭ୍ୟାସ କରୁଛନ୍ତି । ଗତବର୍ଷ ଭୁବନେଶ୍ବରରେ ଅନୁଷ୍ଠିତ ଜୁନିଅର ବର୍ଗ ଜାତୀୟ ଭାରଉତ୍ତୋଳନ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ପାଇଛନ୍ତି । ଆଶା ଅଛି ଜୀବନରେ ଏହି କ୍ରୀଡାକୁ ପେଷା କରିବେ । ହେଲେ ସନ୍ତୋଷୀଙ୍କ କ୍ୟାରିୟର ପାଇଁ ଏବେ ଅର୍ଥ ବାଧକ ସାଜିଛି ।
ପିତାଙ୍କ ମୃତ୍ୟୁପରେ ବିଧବା ମା ଏକ ଝୁମ୍ପୁଡିରେ ହୋଟେଲ ଖୋଲିଛନ୍ତି । ସେଥିରୁ ଉପାର୍ଜିତ ଅର୍ଥରେ ପରିବାର ଚଳୁଛି । ନିଜକୁ ଭବିଷ୍ୟତରେ ଜଣେ ପ୍ରତିଭାବାନ ଖେଳାଳୀ ଭାବେ ଗଢିବାକୁ ସନ୍ତୋଷୀ ଲକ୍ଷ୍ୟ ରଖିଥିବାବେଳେ ଅର୍ଥାଭାବରୁ ସେ ସେହି ହୋଟେଲରେ ପକୁଡି ଛାଣୁଛନ୍ତି ।
ଗତବର୍ଷ ଚମ୍ପିୟାନ ହେବାପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସନ୍ତୋଷୀଙ୍କୁ ସମ୍ମାନିତ କରାଯାଇଥିଲା । ତାଙ୍କ କ୍ୟାରିୟର ଗଢିବା ପାଇଁ ଆର୍ଥିକ ସହାୟତାର ପ୍ରତିଶୃତି ମଧ୍ୟ ମିଳିଥିଲା । ହେଲେ ଆଜିଯାଏଁ ଟଙ୍କାଟିଏ ବି ତାଙ୍କ ଭାଗ୍ୟରେ ଜୁଟିଲା ନାହିଁ । ଭବିଷ୍ୟତରେ ଜଣେ ଉଚ୍ଚକୋଟୀର ଭାରଉତ୍ତୋଳକ ହେବା ଲକ୍ଷ୍ୟ ରଖିଥିବା ସନ୍ତୋଷୀ ଏବେ ଭଙ୍ଗା କୁଡିଆରେ ଅଭାବ ଅନାଟନରେ ରହି ସଫଳ ଆଥେଲେଟର ସ୍ବପ୍ନ ଦେଖୁଛନ୍ତି ।
ଆଶା ଅଛି କିଛି ସରକାରୀ ସହାୟତା ମିଳିଲେ ହୁଏତ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ । ସେପଟେ ସନ୍ତୋଷୀଙ୍କ ବାବଦରେ ଶୁଣିବା ପରେ ଅନୁଧ୍ୟାନ କରି ସରକାରଙ୍କ ନିୟମ ମୁତବକ ସହାୟତା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ