ରାୟଗଡ଼ା: ଜିଲ୍ଲା କାଶୀପୁର ବ୍ଲକରେ ଗତ ୧୫ ଦିନ ହେଲା ହଇଜା ସଂକ୍ରମଣ ଥମିବାର ନା ନେଉନାହିଁ । ପ୍ରତିଦିନ ନୂତନ ଆକ୍ରାନ୍ତ ଚିହ୍ନଟ ହେବାସହ ଦିନେ ଦୁଇଦିନ ବ୍ୟବଧାନରେ ଜଣେ ଦୁଇଜଣଙ୍କ ମୃତ୍ୟୁ ହେଉଛି । ଏହାକୁ ନେଇ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ । ପ୍ରତିଦିନ ନୂଆ ନୂଆ ଗ୍ରାମ ହଇଜା ପ୍ରଭାବିତ ତାଲିକାରେ ଯୋଡ଼ି ହେଉଛି । ବୁଧବାର ପୁଣି ହଇଜା ଦୁଇଜଣଙ୍କ ଜୀବନ ନେଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି ।
ଦୁଇ ମୃତକ ହେଲେ ଟିକିରି ପଞ୍ଚାୟତ ଅନ୍ତର୍ଗତ ପାନବନ୍ଧ ଗ୍ରାମର ବିଟା ମାଝୀ(୨୭) ଓ ଜାମୁଗୁଡାର ସୁନୀ ମାଝୀ(୫୬) । ବିଟା ଆଜି(ବୁଧବାର) ମଧ୍ୟାହ୍ନରେ ଓ ସୁନୀ ଆଜି ସକାଳୁ ମୃତ୍ୟୁବରଣ କରିଛନ୍ତି । କିଛି ଦିନ ହେବ ଉଭୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଟିମ୍ ତାଙ୍କ ଚିକିତ୍ସା କରିଥିଲେ । ହେଲେ ଆଜି ଉଭୟଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ହଇଜାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି ।
ବିଭିନ୍ନ ମେଡିକାଲରେ ହଇଜା ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଗାଁକୁ ମାଡ଼ି ଚାଲିଛି ହଇଜା । ତେବେ ସରକାରୀ ଭାବେ ଯଦିଓ ୧୦ ଗାଁରେ ହଇଜା ବ୍ୟାପୀଥିବା କୁହାଯାଉଛି । କିନ୍ତୁ ପ୍ରକୃତରେ ଏହା ୨୨ଟି ଗାଁକୁ ବ୍ୟାପିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଚିନ୍ତା ବଢାଇଛି କାଶୀପୁର ଅଞ୍ଚଳରେ ଭୂତଳ ଜଳ । ତେବେ ଜଳଉତ୍ସ ଗୁଡିକର ବିଶୋଧନ ଠିକ ଭାବରେ ହେଉନଥିବା ଯୋଗୁଁ ହଇଜା ଉପରେ ନିୟନ୍ତ୍ରଣ ହେଉନଥିବା ଅଭିଯୋଗ ହୋଇଛି ।
ବେସରକାରୀ ଭାବେ ହଇଜା ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ଆଲୋଚନା ହେଉଛି । ଜିଲ୍ଲାପାଳ କହିଛନ୍ତି ଯେ, "ବିଗତ ଦୁଇଦିନ ପୂର୍ବେ ଦୈନିକ ୭୦ରୁ ୮୦ ଜଣ ହଇଜା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜିର ତାରିଖରେ ଏହା କମି ୫୦ରୁ ୬୦ ମଧ୍ୟରେ ରହିଛି ।" ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ବୋଲି କହିଛନ୍ତି ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂ । ତେବେ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ।
୧୭ ଜଣ ଡାକ୍ତର, ୨ଜଣ ଶିଶୁ ରୋଗ ବିଶେଷଜ୍ଞ, ୧୪ ଜଣ କମ୍ୟୁନିଟି ହେଲ୍ଥ ଅଫିସର, ୫ଜଣ ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ୩୨ ଜଣ ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ, ୨୩୩ ଜଣ ଆଶାକର୍ମୀ, ୯ଟି ମୋବାଇଲ ହେଲ୍ଥ ୟୁନିଟ୍ ସହିତ ୬ ଟି ଆମ୍ବୁଲାନ୍ସ କାଶୀପୁରରେ ନିୟୋଜିତ ଅଛନ୍ତି । ବିଭିନ୍ନ ମେଡିକାଲରେ ୫୧ ଜଣ ହଇଜା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ଉଷାପଡା ଉତ୍କଳ ହସ୍ପିଟାଲରେ ୧୪, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪, ଟିକିରି ଉତ୍କଳ ମେଡିକାଲରେ ୧୦ ଜଣ ଭର୍ତ୍ତି ହୋଇଛନ୍ତି । ସେହିଭଳି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଛନ୍ତି ।
ଇଟିଭି ଭାରତ, ରାୟଗଡ଼ା