ରାୟଗଡା: ୧୮ ରୁ ୪୪ ବର୍ଷ ଯୁଗବର୍ଗଙ୍କୁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ସ୍ଥାନୀୟ UGMIT ପରିସରରେ ଅନୁଷ୍ଠିତ ଟୀକାକରଣ କେନ୍ଦ୍ରରେ ଜିଲ୍ଲାପାଳ ପହଞ୍ଚି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ପୌର ପରିଷଦ ପାଇଁ ୬ ହଜାର ଡୋଜ୍ ଟିକା ଆସିଥିବା ବେଳେ ପ୍ରଥମ ଦିନରେ ୨ ହଜାର ଡୋଜ୍ ପଞ୍ଜିକରଣ କରିଥିବା ଯୁବବର୍ଗଙ୍କୁ ପ୍ରଦାନ କରାଯାଇଛି।
ସେହିପରି ୮ ଏବଂ ୯ ତାରିଖରେ ପଞ୍ଜିକରଣ କରିଥିବା ଅନ୍ୟ ୨ ହଜାର ଲେଖାଁଏ ଯୁବବର୍ଗଙ୍କୁ ଟୀକାକରଣ କରାଯିବ । ଜିଲ୍ଲା ସଦର ମହକୁମାର ୧୦ଟି କେନ୍ଦ୍ରରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି । UGMIT, ରାୟଗଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟ, ଅଶୋକ କଲ୍ୟାଣ ମଣ୍ଡପ, ମହିଳା ମହାବିଦ୍ୟାଳୟ, ଦୀପ୍ତି କନଭେଣ୍ଟ୍, ଜିସିଡି ଜିଲ୍ଲା ହାଇସ୍କୁଲ, ସେଞ୍ଚୁରିଆନ ପବ୍ଲିକ ସ୍କୁଲ, ଜିଆଇଏସିଆର, ଏନଭିଆର ଓ ବ୍ରାହ୍ମଣ ସାହି ସ୍କୁଲରେ କେନ୍ଦ୍ର ଖୋଲିଛି।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ମହେଶ୍ବର ନାୟକ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସିଡିଏମଓ ଡା. ଆର୍ତ୍ତନାଦ ନାୟକ, ଡାକ୍ତର ଶ୍ରୀ ରଏ (ଏଡିଏମଓ, ଏଫଡବ୍ଳ୍ୟୁ), ଡିପିଏମ ରାଜେଶ୍ବର ରାଓ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦ, ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡା. ରୋହିତ କୁଣ୍ଡୁ, ନଗର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ କିରଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ