ରାୟଗଡ଼ା: ଜିଲ୍ଲା ପଦ୍ମପୁର ଥାନା ଅର୍ନ୍ତଗତ ନାରାୟଣପୁରଠାରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ଶାଶୁ ଘରେ ପାରିବାରିକ ଅଶାନ୍ତି ସହ ଯୌତୁକ ନିର୍ଯ୍ୟାତନା ଲାଗି ରହିଥିଲା । ଏଥିଲାଗି ମୃତ ମହିଳାଙ୍କ ପରିବାର ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।
ମୃତ ମହିଳା ହେଉଛନ୍ତି ଗାୟତ୍ରୀ ବେହେରା(୨୪) । ତାଙ୍କ ନିଜ ଘର ପାଙ୍ଗଣାପଦର ହୋଇଥିବା ବେଳେ ତାଙ୍କ ପିତାଙ୍କ ନାମ ନିରଞ୍ଜନ ବେହେରା ବୋଲି ଜଣାପଡିଛି । ତେବେ ୨୦୧୬ ମସିହାରେ ନାରାୟଣପୁରର ଭାସ୍କର ସାହୁଙ୍କ ପୁଅ ପିଣ୍ଟୁ ସାହୁଙ୍କୁ ସେ ବିବାହ କରିଥିଲେ। କିଛି ବର୍ଷ ବ୍ୟବଧାନରେ ପରେ ପାରିବାରିକ ଅଶାନ୍ତି ସହ ଯୌତୁକ ନିର୍ଯ୍ୟାତନା ଲାଗିରହିଥିଲା । ମୃତ୍ୟୁ ଘଟିବା ପୂର୍ବଦିନ ଶାଶୁ ପ୍ରମିଳା ସାହୁ ଓ ବୋହୂ ଗାୟତ୍ରୀ ବେହେରା ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା।
ଗାୟତ୍ରୀ ଏହାକୁ ସହି ନ କରିପାରି କୀଟନାଶକ ଔଷଧ ଖାଇ ଦେଇଥିବା ସ୍ଵାମୀ ଭାସ୍କର କହିଛନ୍ତି । ହେଲେ ଘଟଣା ସ୍ଥଳରେ ଗାୟତ୍ରୀ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଗୁଣୁପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ମୃତ ଗାୟତ୍ରୀ ପରିବାର ପକ୍ଷରୁ ଶାଶୁ, ଶଶୁର ତାଙ୍କ ପରିବାର ବିରୋଧରେ ପଦ୍ମପୁର ଥାନାରେ ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ